କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି। କେନ୍ଦ୍ର କ୍ୟାବିନେଟ ମହଙ୍ଗା ଭତ୍ତା ୧୧ ପ୍ରତିଶତ ବୃଦ୍ଧିକୁ ମଞ୍ଜୁରୀ ପ୍ରଦାନ କରିଛି। ଅର୍ଥାତ୍ ମହଙ୍ଗା ଭତ୍ତା ବର୍ତ୍ତମାନ ୧୭ ପ୍ରତିଶତରୁ ବଢ଼ି ୨୮ ପ୍ରତିଶତ ହୋଇଯାଇଛି। ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ୧ରୁ ଲାଗୁ ହେବ ବୋଲି ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀଙ୍କୁ ଲାଭ ମିଳିବ।

ସୂଚନାଯୋଗ୍ୟ, କରୋନା ଯୋଗୁ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ରୋକ ଲଗାଯାଇଥିଲା। ଗତ ବର୍ଷ ଏପ୍ରିଲ ମାସରେ କେନ୍ଦ୍ରୀୟ କ୍ୟାବିନେଟ ସରକାରୀ କର୍ମଚାରୀଙ୍କୁ ୨ଟି କିସ୍ତିରେ ମିଳୁଥିବା ମହଙ୍ଗା ଭତ୍ତା ଉପରେ ରୋକ ଲଗାଇଥିଲେ। କାରଣ ମହଙ୍ଗା ଭତ୍ତା କିସ୍ତି ପ୍ରତି ୬ ମାସରେ ଜାରି କରାଯାଇଥାଏ।