ଭାରତରୁ ଡାକ ସେବା ବନ୍ଦ କଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତୀୟ ସେନା ପାକ୍ ଅଧିକୃତ କଶ୍ମୀରରେ ୩ ଆତଙ୍କୀ ଲଞ୍ଚପ୍ୟାଡ୍ ଧ୍ୱଂସ କରିବାର ଦିନକ ପରେ ପାକିସ୍ତାନ ଭାରତରୁ ଡାକ ସେବାକୁ ବନ୍ଦ କରିଦେଇଛି। କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ସୋମବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ପାକିସ୍ତାନ ଭାରତକୁ କୌଣସି ଆଗୁଆ ସୂଚନା ନ ଦେଇ ଭାରତରୁ ଡାକ ସେବା ହଠାତ୍ ବନ୍ଦ କରିଦେବାରୁ ଏଠାରୁ ପାକିସ୍ତାନକୁ କୌଣସି ଚିଠିପତ୍ର ଯାଇପାରୁନାହିଁ। ପାକିସ୍ତାନର ଏହି ପଦକ୍ଷେପକୁ ଦୃଢ଼ ନିନ୍ଦା କରି ରବିଶଙ୍କର ପ୍ରସାଦ କହିଛନ୍ତି ଏହାଦ୍ୱାରା ଅନ୍ତର୍ଜାତୀୟ ବ୍ୟବସ୍ଥାର ଉଲ୍ଲଙ୍ଘନ ହେଉଛି।

ଉଲ୍ଲେଖଯୋଗ୍ୟ ଗତ ଶନିବାର ରାତିରୁ ରବିବାର ସକାଳ ପର୍ଯ୍ୟନ୍ତ ପାକ୍ ସେନା ଏଲଓସିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିବାରୁ ଭାରତୀୟ ସେନା ଏହାର ଦୃଢ଼ ପାଲଟା ଜବାବ ଦେବାସହ ପିଓକେରେ ଥିବା ୪ଟି ଆତଙ୍କୀ ଲଞ୍ଚପ୍ୟାଡକୁ ଟାର୍ଗେଟ କରିଥିଲା। ଏଥିରେ ୩ଟି ଲଞ୍ଚପ୍ୟାଡ୍ ଧ୍ୱଂସ ହୋଇଯାଇଥିଲାବେଳେ ଅନ୍ୟ ଗୋଟିଏ ଲଞ୍ଚପ୍ୟାଡ୍ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା। ଭାରତୀୟ ସେନାର ଏହି କାର୍ଯ୍ୟାନୁଷ୍ଠାନରେ ପାକ୍ ସେନାର ୬-୧୦ ଯବାନ ନିହତ ହେବାସହ ବହୁ ଆତଙ୍କବାଦୀ ନିପାତ ହୋଇଥିଲେ। ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ପାକିସ୍ତାନ ଭାରତରୁ ଡାକ ସେବାକୁ ବନ୍ଦ କରିଦେଇଛି।