କୋରାପୁଟ ଏମସିଏଚରେ ପାଇପଲାଇନ ଯୋଗେ ଅକ୍ସିଜେନ ଯୋଗାଣ

କୋରାପୁଟ,ଏନ୍ଏନ୍ଏସ୍: ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ପାଇପଲାଇନ ଯୋଗେ ଅକ୍ସିଜେନ୍ ଯୋଗାଣ ଆରମ୍ଭ ହୋଇଛି। ପାଇପଲାଇନ ମାଧ୍ୟମରେ ଅକ୍ସିଜେନ ଯୋଗାଣ ପଦ୍ଧତି ଓ ବହୁଗୁଣ ଗୃହ ନିର୍ମାଣ କରିବାକୁ ୨୦୧୯ରେ ହରିୟାଣାର ଏମଡିଡି ନାମକ ଘରୋଇ କମ୍ପାନୀକୁ ୪ କୋଟି ଟଙ୍କା ଟେଣ୍ଡର କରି କାର୍ଯ୍ୟାଦେଶ ଦିଆଯାଇଥିଲା। କରୋନା ଯୋଗୁ କାର୍ଯ୍ୟ ଶେଷ ହେବାରେ ବିଳମ୍ବ ହୋଇଥିଲା। କାର୍ଯ୍ୟ ସରିବା ପରେ ଆଜି କମ୍ପାନୀ କର୍ତୃପକ୍ଷ ହସ୍ପିଟାଲ କର୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିବାବେଳେ ପାଇପଲାଇନ ଯୋଗେ ହସ୍ପିଟାଲର ବିଭିନ୍ନ ଓାର୍ଡକୁ ଅକ୍ସିଜେନ ଯୋଗାଇ ଦିଆଯାଇଛି। ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ଉକ୍ତ ଗୃହକୁ ଯାଇ ପରିଦର୍ଶନ କରିବା ସହ କମ୍ପାନୀ ଓ ହସ୍ପିଟାଲ କର୍ତୃପକ୍ଷଙ୍କ ସହ ଯନ୍ତ୍ରାଂଶ ଓ ସୁପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ। ହସ୍ପିଟାଲର ଅଧୀକ୍ଷକ ପ୍ରଫେସର ଡାକ୍ତର ସୀତାରାମ ମହାପାତ୍ର, ନିଶ୍ଚେତକ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ହରେକୃଷ୍ଣ ଦଳେଇ, ହସ୍ପିିଟାଲର ପ୍ରଶାସନିକ ଅଧିକାରୀ ମଧୁମିତା ନାୟକ, କୋରାପୁଟ କୋଭିଡ ହସ୍ପିିଟାଲର ଏଏମଓ ଡାକ୍ତର ଶିବାଶିଷ ପାତ୍ର, ମେଡିସିନ ଷ୍ଟୋର ଅଧିକାରୀ ଡାକ୍ତର ସତ୍ୟଜିତ ସାମଲ, ହସ୍ପିଟାଲ ମ୍ୟାନେଜର ଶୁଭେନ୍ଦୁ ପଣ୍ଡା, ଅଭିରାମ ସାହୁ ଓ କମ୍ପାନୀର ପ୍ରକଳ୍ପ ଅଧିକାରୀ ଦିଲ୍ଲୀପ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। କୋରାପୁଟ ହସ୍ପିିଟାଲରେ ୩୨୦ଟି ଅକ୍ସିଜେନ ସିଲିଣ୍ଡର ରହିଥିବାବେଳେ ୬୦ଟି ନାଇଟ୍ରୋଜେନ ସିଲିଣ୍ଡର ରହିଥିବା ଜଣାପଡ଼ିଛି। ଜୟପୁର, ରାୟଗଡ଼ା ଓ ଜୁନାଗଡ଼ରୁ ସିଲିଣ୍ଡର ଫିଲିଂ କରି ଅଣାଯାଉଥିବା ଜଣାପଡ଼ିଛି। ହସ୍ପିଟାଲ ଆଇସିୟୁ ଓ ୱାର୍ଡରେ ରୋଗୀଙ୍କୁ ଅକ୍ସିଜେନ ସିଲିଣ୍ଡର ପରିବହନ କରି ସେବା ଯୋଗାଇ ଦିଆଯାଉଥିଲା ଯଦ୍ୱାରା ଲଗେଇବା ଓ ପରିବହନ ଦ୍ୱାରା ଅକ୍ସିଜେନ କ୍ଷତି ହେଉଥିଲା। ଆଉ ଏବେ ପାଇପ ଯୋଗେ ଅକ୍ସିଜେନ ଯୋଗାଣ ହେବାଦ୍ୱାରା କ୍ଷତି ହେବନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।