ଆମ ସୈନିକ, ଆମର ଗର୍ବ-ମୋଦୀ

ଶ୍ରୀନଗର,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୀପାବଳି ଅବସରରେ ରାଜସ୍ଥାନର ଜୈସେଲମେରରେ ପହଂଚିବା ପରେ ସୈନିକମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସମେତ ସେନାବାହିନୀର ସମସ୍ତ ସୈନିକଙ୍କୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ଭାରତ ତାର ସେନାବାହିନୀ ପାଇଁ ଗର୍ବିତ କାରଣ ସେମାନେ ସାହସର ସହ ଦେଶର ସୁରକ୍ଷା କରୁଛନ୍ତି।

ସେନାବାହିନୀକୁ ଉଦବୋଧନ ଦେଇ ମୋଦୀ କହିଛନ୍ତି,’ମୁଁ ଭାରତବାସୀଙ୍କ ଶୁଭେଚ୍ଛା ଆଣିଛି, ତୁମ ପାଇଁ ଭଲପାଇବା ଆଣିଛି, ଆଶୀର୍ବାଦ ଆଣିଛି। ଆଜି ମୁଁ ସେହି ସାହସୀ ସୈନିକଙ୍କ ମା’, ଭଉଣୀ ଏବଂ ପିଲାମାନଙ୍କୁ ମୋର ହୃଦୟରୁ ଶୁଭେଚ୍ଛା ଜଣାଉଛି, ସେମାନଙ୍କର ବଳିଦାନକୁ ପ୍ରଣାମ କରୁଛି। ସେ କହିଛନ୍ତି ଯେ ସୈନିକମାନେ ବରଫ ପାହାଡ ଉପରେ ରହିଥାନ୍ତୁ କିମ୍ବା ମରୁଭୂମିରେ ରହିଥାନ୍ତୁ, ସେ ସେମାନଙ୍କ ଗହଣରେ ହିଁ ଦୀପାବଳୀର ପ୍ରକୃତ ଆନନ୍ଦ ଅନୁଭବ କରନ୍ତି। ସେ କହିଛନ୍ତି ଯେ ସେ ପ୍ରତ୍ୟେକ ସୈନିକର ମୁହଁରେ ଖୁସି ଦ୍ୱିଗୁଣିତ ହେବାର ଦେଖୁଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ହିମାଳୟର ଉଚ୍ଚଭୂମି ହେଉ କି ମରୁଭୂମି, ଘଞ୍ଚ ଜଙ୍ଗଲ କିମ୍ବା ଗଭୀର ସମୁଦ୍ର ହେଉ, ସୈନିକମାନେ ପ୍ରତ୍ୟେକ ଆହ୍ୱାନର ମୁକାବିଲାରେ ବୀରତ୍ୱ ପ୍ରଦର୍ଶନ କରିଛନ୍ତି। ସେ କହିଛନ୍ତି ଯେ ସେମାନଙ୍କର ବୀରତ୍ୱକୁ ପ୍ରଣାମ କରିବା ସହ ୧୩୦ କୋଟି ଭାରତୀୟ ସେମାନଙ୍କ ସହିତ ଦୃଢ ଭାବରେ ଠିଆ ହୋଇଛନ୍ତି। ଆଜି ପ୍ରତ୍ୟେକ ଭାରତୀୟ ସୈନିକମାନଙ୍କ ଶକ୍ତି ଏବଂ ସାହସିକତା ପାଇଁ ଗର୍ବିତ।