ଜାପାନର କରୋନା ଔଷଧ ଗବେଷଣା ଟିମରେ ଓଡ଼ିଆ ପୁଅ ଡ. ଆଦିତ୍ୟ ପାଢୀ

ଭାରତରେ ଶେଷ ପ~ðýûୟ ପରୀକ୍ଷଣ ସଫଳ ହେଲେ ବଜାରକୁ ଆସିବ ୟୁମିଫିନୋଭିର ଔଷଧ

ରାୟଗଡ଼ା,ଏନ୍ଏନ୍ଏସ୍: ଜାପାନର କରୋନା ଔଷଧ ଗବେଷଣା ଟିମରେ ରୟଗଡ଼ା ପୁଅ ଆଦିତ୍ୟ। ସାତ ଦରିଆ ପାର ହୋଇ ରାୟଗଡ଼ା ମାଟିର ନା ରଖିଛନ୍ତି ଆଦିତ୍ୟ। ରାୟଗଡ଼ା ଗୋଦାବରୀଶ ନଗର ନିବାସୀ ଆଦିତ୍ୟ ସାଉଥକୋର ଜଣେ ଅବସରପ୍ରାପ୍ତ କର୍ମଚାରୀ ଜଗନ୍ନାଥ ପାଢ଼ୀ ଏବଂ ମାଆ ପ୍ରେମଲତା ପାଢ଼ୀଙ୍କ ଏକ ମାତ୍ର ପୁଅ। ୨୦୦୩ ମସିହାରେ ଜିସିଡି ହାଇସ୍କୁଲରୁ ମାଟ୍ରିକରେ ପ୍ରଥମ ସ୍ଥାନରେ ପାସ କରି ମିଟସରେ ବାୟୋଟୋକ୍ନାଲୋଜିରେ ବିଟେକ୍ ପଢ଼ିଥିଲେ। ପରେ ୨୦୧୦ରେ ଆଇଆଇଟି ଦିଲ୍ଲୀରେ ବାୟୋଲୋଜିକାଲ୍ ସାଇନସରେ ପିଏଚଡ଼ି ପଢ଼ି ୨୦୧୬ରୁ ଜାପାନ ସରକାରଙ୍କ ରିକେନ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ନିଯୁକ୍ତି ପାଇଥିଲେ। କାରୋନା ପାଇଁ ପ୍ରସ୍ତୁତ ୟୁମିଫିନୋଭର୍ ଔଷଧକୁ ପୂର୍ବରୁ ଆଦିତ୍ୟଙ୍କ ଟିମ୍ ବ୍ରେନ୍ କ୍ୟାନସର୍ ଏବଂ ଅନ୍ୟାନ୍ୟ ଭୂତାଣୁ ଜନିତ ରୋଗ ପ୍ରତି‌ରୋଧକ ପାଇଁ ବ୍ୟବହାର କରି ସଫଳ ହୋଇଛନ୍ତି। ଜାପାନର ରିକେନ୍ କମ୍ପାନୀ ପ୍ରସ୍ତୁତ ୟୁମି‌ଫିନୋଭିର ଔଷଧ କରୋନା ମୁକାବିଲାରେ ରୁଷିଆ ଏବଂ ଚୀନରେ ବେସ ସହାୟକ ହୋଇଥିବାବେଳେ ଭାରତରେ ଏହାର ପରୀକ୍ଷଣ ପାଇଁ ଅନୁମତି ମିଳିଛି। ଡ. ଆଦିତ୍ୟ ପାଢ଼ୀଙ୍କ ଟିମ ଦ୍ଵାରା ଗବେଷଣା ହୋଇଥିବା ୟୁମିଫିନୋଭର୍ ଔଷଧକୁ ସେଣ୍ଟ୍ରାଲ୍ ଡ୍ରଗ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ସିଡିଆରଆଇ) ଅନୁମୋଦନକ୍ରମେ ଭାରତରେ ଦୁଇଟି ପର୍ଯ୍ୟାୟ ପରୀକ୍ଷଣ ସରିଥିବା ବେଳେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବା ପରେ ଔଷଧ ଓ ଟୀକା ପ୍ରସ୍ତୁତ ଲାଗି ବହୁ କମ୍ପାନୀ ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି କମ୍ପାନୀର ଗବେଷଣା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିନଥିବା ବେଳେ ଜାପାନ ସରକାରଙ୍କ ରିକେନ୍ ରିସର୍ଚ ଇନଷ୍ଟିଚ୍ୟୁଟ ତରଫରୁ ପ୍ରସ୍ତୁତ ୟୁମିଫିନୋଭର ମେଡିସିନ୍ ଉପରେ ଭାରତ ସରକାର ଆସ୍ଥା ପ୍ରକଟ କରିଛନ୍ତି ବୋଲି ଆଦିତ୍ୟ କହିଛନ୍ତି।

ଭାରତ ପୂର୍ବରୁ ଚୀନ୍ ଓ ଋଷିଆ ୟୁମିଫିନୋଭର ଓରାଲ ମେଡ଼ିସିନକୁ ବ୍ୟବହାର କରି କୋଭିଡ଼ ମୃତ୍ୟୁହାର ରୋକିବାରେ ସକ୍ଷମ ହୋଇଛନ୍ତି। ତେବେ ସଂକ୍ରମିତ ବ୍ୟକ୍ତିଙ୍କ ଦେହରେ ଥିବା ଭୂତାଣୁକୁ ମାରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ଏହି ମେଡ଼ିସିନ୍ ସହାୟକ ହେଉଥିବାରୁ ଭାରତରେ ଏହାର ବ୍ୟବହାର ପାଇଁ ଆରମ୍ଭ ହୋଇଛି ପରୀକ୍ଷା। ସେଣ୍ଟ୍ରାଲ୍ ଡ୍ରଗ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍(ସିଡିଆରଆଇ) ଏବଂ କାଉନସିଲ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (ସିଏସଆଇଆର୍)ର ଅନୁମୋଦନକ୍ରମେ ଭାରତରେ କରୋନା ରୋଗୀଙ୍କ ଉପରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସରିଛି।

ସେହିପରି ତୃତୀୟ ତଥା ଚୂଡାନ୍ତ ପରୀକ୍ଷଣ ଲକ୍ଷ୍ନୋସ୍ଥିତ ଡ. ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ୍ ସାଇନସ୍ ଏବଂ କିଙ୍ଗ୍ ଜର୍ଜସ ମେଡ଼ିକାଲ୍ ୟୁନିଭରସିଟରେ ହେବାକୁ ଯାଉଛି। ତେବେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳ ହେଲେ ମେଡ଼ିସିନ୍ ପ୍ରସ୍ତୁତ ସହ ଭାରତରେ ବଜାରୀକରଣ ହେବା ଆଶା ରଖାଯାଇଛି। ସିଏସଆଇଆର ଓ ସିଡିଆରଆଇ ନିର୍ଦ୍ଦେଶକ ତାପସ କୁଣ୍ଡୁଙ୍କ କହିବା ଅନୁସାରେ ମେଡ଼ିସିନ୍ ପ୍ରସ୍ତୁତ ପାଇଁ ଭାରତରେ ସମସ୍ତ ପ୍ରକାର କଞ୍ଚାମାଲ ମହଜୁଦ୍ ଅଛି। ଚୀନ୍ ଓ ଋଷରେ ୟୁମିଫିନୋଭର ମେଡ଼ିସିନ ଦ୍ୱାରା କରୋନା ମୃତ୍ୟୁହାର ରୋକିବାରେ ସଫଳ ହୋଇଥିବାରୁ ଭାରତର ସଂକ୍ରମିତଙ୍କ ଶରୀରରେ ଭୂତାଣୁ ମାରିବାରେ ଏହି ମେଡ଼ିସିନ୍ କେତେ ଦୂର ସହାୟକ ହେବ ଏବଂ ଆଉ ଅଧିକ କ’ଣ କମ୍ପୋନେଟ୍ ବ୍ୟବହାର କରାଯାଇପାରିବ ସେନେଇ ଅଧିକ ପରୀକ୍ଷା ନିରୀକ୍ଷା ଜାରି ରହିଥିବା ଗବେଷକ ଡ. ଆଦିତ୍ୟ ପାଢ଼ୀ କହିଛନ୍ତି।