ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ପଞ୍ଚାୟତ ନିର୍ବାଚନରେ ବଡ଼ ସମାବେଶ ଏବଂ ଅଧିକା ଲୋକଙ୍କୁ ନେଇ ରାଲି, ଶୋଭାଯାତ୍ରା ଆୟୋଜନ ଉପରେ ନିର୍ବାଚନ କମିଶନ କଟକଣା ଲାଗୁ କରିଛନ୍ତି। ଏଣୁ ବିଭିନ୍ନ ରାଜନୈତିକ ଦଳ ଡିଜିଟାଲ ପ୍ରଚାର ଉପରେ ଗୁରୁତ୍ୱ ଦେଇଛନ୍ତି। ଭୋଟର୍ଙ୍କ ମନ ଜିଣିବାକୁ ଡିଜିଟାଲ୍ ପୋଷ୍ଟର, ଗୀତ, ଭିଡିଓ ଇତ୍ୟାଦି ପ୍ରସ୍ତୁତ କରି ସେୟାର କରାଯାଉଛି। ରାଜ୍ୟ ବିଜେପି ପକ୍ଷରୁ ଡିଜିଟାଲ୍ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଥିବା ବେଳେ ଆଗକୁ ଦଳର ଷ୍ଟାର ପ୍ରଚାରକମାନେ ମଧ୍ୟ ଭର୍ଚୁଆଲରେ ଦଳପାଇଁ ପ୍ରଚାର କରିବେ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ, ଗିରିରାଜ ସିଂ, ନରେନ୍ଦ୍ର ସିଂ ତୋମାର ପ୍ରମୁଖ ଡିଜିଟାଲ୍ରେ ଓଡ଼ିଶା ବିଜେପି ପାଇଁ ପ୍ରଚାର କରିବେ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି। ତେବେ କେଉଁଦିନ କେଉଁ ନେତା କେଉଁ ସ୍ଥାନରେ ପ୍ରଚାର କରିବେ ଏନେଇ ତାଲିକା ସ୍ଥିର ହୋଇନାହିଁ। ଖୁବ୍ଶୀଘ୍ର ସାରଣୀ ପ୍ରସ୍ତୁତ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।