ଲୋଭ ଛାଡୁନି କି କିଣି ହେଉନି: ୨୦୦ ଟଙ୍କାରେ ପିଆଜ!

ନୂଆଦିଲ୍ଲୀ: ଏବେ ବି ସାଧାରଣ ଖାଉଟିଙ୍କୁ ପିଆଜ ଯନ୍ତ୍ରଣାରୁ ମୁକ୍ତି ମିଳିବାର ନା ଧରୁ ନାହିଁ। ଗୋଟିଏ ପଟେ ପିଆଜ ଖାଇବାର ଲୋଭରୁ ଲୋକେ ବର୍ତ୍ତି ପାରୁନଥିବା ବେଳେ ବର୍ତ୍ତମାନ ପିଆଜ ଦର କମିବା ପରିବର୍ତ୍ତେ ପୁଣି ବଢିବାରେ ଲାଗିଛି। ଏପରିକି ଦେଶର କେତେକ ସହରରେ ପିଆଜ ଦର କିଲୋ ପିଛା ଏବେ ୨୦୦ ଟଙ୍କାରେ ପହଞ୍ଚିଥିବା ଜଣାପଡ଼ିଛି। ଦେଶର ପ୍ରମୁଖ ସହରମାନଙ୍କ ବ୍ୟତୀତ ମଧ୍ୟମ ଏବଂ ନିମ୍ନ ମଧ୍ୟମ ସହରରେ ଗୁଡିକରେ ପିଆଜ ଦର ୧୦୦ ଟଙ୍କାରୁ ଅଧିକ ରହିଛି। ହେଲେ ବେଙ୍ଗାଲୁରୁ , କୋଏମ୍ବାଟୁର , ମଦୁରାଇ ଏବଂ ଦକ୍ଷିଣ ଭାରତର ଅନ୍ୟ କେତେକ ସହରରେ ପିଆଜ ଦର ୨୦୦ ଟଙ୍କା ଛୁଇଁଥିବା ସାଂପ୍ରତିକ ପିଆଜ ଦରକୁ ନେଇ ସର୍ବଭାରତୀୟସ୍ତରରେ କରାଯାଇଥିବା ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।

ଏହି ରିପୋର୍ଟ ଅନୁସାରେ ବେଙ୍ଗାଲୁରୁ ସହରରେ ପିଆଜ କ୍ୱିଣ୍ଟାଲ ପିଛା ମୂଲ୍ୟ ୫୫୦୦ ଟଙ୍କାରୁ ୧୪୦୦୦ ଟଙ୍କାରେ ପହଞ୍ଚିଥିବା ସେଠାକାର କୃଷି ବିପଣନ ବିଭାଗ ପକ୍ଷରୁ କୁହାଯାଇଛି। ଏହାକୁ ନେଇ ସହରର ବିଭିନ୍ନ ସ୍ଥାନରେ ଖାଉଟିସ୍ତରରେ ପିଆଜ କିଲୋ ପିଛା ମୂଲ୍ୟ ୨୦୦ ଟଙ୍କାରେ ପହଞ୍ଚିଛି। ସେହିପରି ଗୋଆର ପାନାଜି ସହରରେ ମଧ୍ୟ ପିଆଜ ମୂଲ୍ୟ ୧୬୫ ଟଙ୍କାରେ ପହଞ୍ଚିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଭାରତର ପିଆଜ ମଣ୍ଡି କୁହାଯାଉଥିବା ମହାରାଷ୍ଟ୍ରର ନାସିକ ସହରରେ ପିଆଜ ମୂଲ୍ୟ ପାଖାପାଖି ୮୦ ଟଙ୍କା ଛୁଇଁଛି।

ଅନ୍ୟାନ୍ୟ ସବୁ ସହରରେ ପିଆଜ ମୂଲ୍ୟ ୧୦୦ ଟଙ୍କା ଉପରେ ରହିଥିବା ବେଳେ ଉତ୍ତର ପ୍ରଦେଶର ଝାନ୍ସି ଏବଂ ଛତିଶଗଡ଼ର ଅମ୍ବିକାପୁର, ମଧ୍ୟପ୍ରଦେଶର ସାଗର, ଗ୍ୱାଲିଅର ଏବଂ ପଶ୍ଚିମବଙ୍ଗ ରାଜ୍ୟର ରାମପୁର ହାଟ ଅଞ୍ଚଳରେ ପିଆଜ ମୂଲ୍ୟ ୫୦ ଟଙ୍କା ମଧ୍ୟରେ ସୀମିତ ଥିବା କୁହାଯାଇଛି। ତେବେ ପ୍ରାୟ ସହରରେ ପିଆଜର ଖାଉଟି ମୂଲ୍ୟ କିଲୋ ପିଛା ୧୦୦ ଟଙ୍କା ରହିଛି। ଉଲ୍ଲେଖଯୋଗ୍ୟ ଯେ, ମହାରାଷ୍ଟ୍ର ଭଳି ସର୍ବାଧିକ ପିଆଜ ଉତ୍ପାଦନକାରୀ ରାଜ୍ୟ ସମେତ ଅନ୍ୟ କେତେକ ରାଜ୍ୟରେ ଅସମୟ ବର୍ଷା ବିତ୍ପାତକୁ ନେଇ ଖରିଫ୍ ଫସଲ ବିପୁଳ ମାତ୍ରାରେ ନଷ୍ଟ ହେବା ସହିତ ପିଆଜ ଉତ୍ପାଦନ ହ୍ରାସ ପାଇବାରୁ ବିଗତ ଏକ ମାସ ଧରି ପିଆଜ ବଜାରରେ ନିଆଁ ଲାଗିଛି।

ପିଆଜର ବର୍ଦ୍ଧିତ ଦର ରୋକିବା ସହ ବଜାରରେ ପର୍ଯ୍ୟାପ୍ତ ପରିମାଣର ପିଆଜ ଉପଲବ୍ଧ କରିବାକୁ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ବିଭିନ୍ନ ସଂସ୍ଥା ବିଦେଶରୁ ପିଆଜ ଆମଦାନୀ କରିଥିଲେ ହେଁ ଚାହିଦା ତୁଳନାରେ ଏହା ପର୍ଯ୍ୟାପ୍ତ ହେଉନଥିବାରୁ ଦର ଦିନକୁ ଦିନ ଅସହ୍ୟ ହୋଇପଡ଼ୁଛି। ବର୍ତ୍ତମାନ ଉପରୋକ୍ତ କେତେକ ସହରରେ ପିଆଜ ୨୦୦ ଟଙ୍କାରେ ପହଞ୍ଚିଥିବା ବେଳେ ଆଗାମୀ ଦିନରେ ପୁଣି ମୂଲ୍ୟ ବୃଦ୍ଧି ଆଶଙ୍କାରେ ସାଧାରଣ ଗ୍ରାହକମାନେ ଆଶଙ୍କିତ ହୋଇପଡ଼ିଛନ୍ତି।