ବାଇକ ଦୁର୍ଘଟଣାରେ ଜଣେ ମୃତ, କ୍ଷତିପୂରଣ ଦାବୀରେ ଶବ ରଖି ରାସ୍ତାରୋକ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ନିକଟସ୍ଥ କୁସମକାନିଠାରେ ଏକ ଅଜଣା ବାଇକ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ସ୍ଥାନୀୟ ରାମପୁର ହରିଜନ ପଡ଼ାର ଦେବାର ବାଗ(୫୫) । ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ରାତି ପ୍ରାୟ ୧୧ଟାରେ ଦେବାରଙ୍କୁ ପଛପଟୁ ଏକ ବାଇକ ଧକ୍କା ଦେବାରୁ ସେ ଗୁରୁତର ଭାବେ ଆହତ ହୋଇଥିଲେ । ପ୍ରଥମେ ଦେବାରଙ୍କୁ ପାଟଣାଗଡ଼ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲେ ହେଁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ସତ୍କାର ପାଇଁ ତାଙ୍କ ମୃତ ଶରୀରକୁ ପାଟଣାଗଡ଼ ଅଣାଇଥିଲେ ହେଁ ପରିବାର ଲୋକଙ୍କ ସହ ହରିଜନ ପଡ଼ାବାସୀ କ୍ଷତିପୂରଣ ଦାବୀରେ ରାମପୁରଠାରେ ଡିଙ୍ଗର କୁମ୍ଭାରଙ୍କ ନେତୃତ୍ୱରେ ରାସ୍ତାରୋକ କରିଥିଲେ । ଖବର ପାଇ ପାଟଣାଗଡ଼ ସହକାରୀ ଜିଲ୍ଲାପାଳ କ୍ଷିରୋଦ ସାହୁ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ରେଡକ୍ରସ ତରଫରୁ ୧୦ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ଦେବାର ପ୍ରତିଶ୍ରୁତି ଦେବା ପରେ ସେମାନେ ରାସ୍ତାରୋକରୁ ଓହରିଥିଲେ ।