ଛୁରାମାଡ଼ରେ ଜଣେ ମୃତ ଘଟଣା, ଶବ ରଖି ଥାନା ଘେରାଉ କଲେ ଉତ୍ତ୍ୟକ୍ତ ଲୋକେ

ଝାରସୁଗୁଡ଼ା ଜିଲ୍ଲା ଓରିଏଣ୍ଟ ଥାନା ଅନ୍ତର୍ଗତ ଆଦର୍ଶନଗର ଠାରେ ବିରବଲ ପାଣ୍ଡେ(୨୦)ଙ୍କ ବେକରେ ଦୁର୍ବୃତ୍ତମାନେ ଗତ ବୁଧବାର ରାତିରେ ଛୁରା ମାରିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଲୋକେ ଆଜି ତାଙ୍କ ଶବ ରଖି ଥାନା ଘେରାଉ କରିଥିଲେ। ମୃତକଙ୍କ ପରିବାରକୁ ନ୍ୟାୟ, ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦେବା ସହ ସ୍ଥାନୀୟ ଅଞ୍ଚଳକୁ ଅପରାଧ ମୁକ୍ତ କରିବା ପାଇଁ ସେମାନେ ଦାବି କରିଥିଲେ। ତେବେ ଘଟଣାସ୍ଥଳକୁ ବ୍ରଜରାଜନଗର ଏସଡିପିଓ ଦିଲୀପ କୁମାର ଦାସ, ଥାନା ଅଧିକାରୀ ନଳିତା ମୋଦୀ, ଓରିଏଣ୍ଟ ଥାନା ଅଧିକାରୀ ବୈକୁଣ୍ଠ ବିହାରୀ ସେଠ, ବେଲପାହାଡ଼ ଥାନା ଅଧିକାରୀ ରଶ୍ମିତା ବେହେରା ପ୍ରମୁଖ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଅନ୍ୟପଟେ ମୃତକଙ୍କ ଶବକୁ ତାଙ୍କ ନିଜସ୍ୱ ଘର ବିହାର ରାଜ୍ୟର ଜାହାନାବାଦକୁ ପଠାଇବାର ବ୍ୟବସ୍ଥା କରିବାସହ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା କିଛି ଲୋକଙ୍କୁ ପୁଲିସ ଅକଟ ରଖି ପଚରାଉଚୁରା କରୁଥିବା ପ୍ରକାଶ କରିବା ପରେ ଲୋକେ ଆନ୍ଦୋଳନରୁ ଓହରିଥିଲେ। ତେବେ ଏହି ଘଟଣାରେ କେତ ଜଣଙ୍କୁ ଅଟକ ରଖାଯାଇଛି ଓ ସେମାନଙ୍କ ନାମ ପୁଲିସ ପକ୍ଷରୁ ଶୁକ୍ରବାର ପ୍ରକାଶ କରାଯିବା ସହ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରଜରାଜନଗର ଏସଡିପିଓ ଦିଲୀପ ଦାସ କହିଛନ୍ତି।

ପ୍ରକାଶ ଯୋଗ୍ୟ ଯେ, ବୁଧବାର ସନ୍ଧ୍ୟାରେ କୌଣସି କାରଣକୁ ନେଇ ବିରବଲ ପାଣ୍ଡେ ଓ କିଛି ଜଣଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସେମାନେ ବିରବଲଙ୍କ ବେକରେ ଛୁରା ମାରି ଫେରାର ହୋଇଯାଇଥିଲେ। ପରିବାର ଲୋକ ବିରବଲଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ମେଡିକାଲକୁ ନେଇଥିଲେ। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିରବଲଙ୍କ ମୃତ୍ୟୁ ହୋଇଥିଲା। ତାଙ୍କର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ଲୋକେ ଉତ୍ତ୍ୟକ୍ତ ହୋଇ ଥାନା ଘୋରାଉ କରିଥିଲେ।