ବିଦ୍ୟୁତ୍ ଆଘାତରେ ଜଣେ ନାବାଳିକା ମୃତ, ଜଣେ ଗୁରୁତର

ଯାଜପୁର,ଏନ୍ଏନ୍ଏସ୍: ଯାଜପୁରର କୁସୁମା ନିକଟରେ ଶୁକ୍ରବାର ସକାଳରେ ଏକ ଅଘଟଣ ଘଟିଛି। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ନାବାଳିକା ଜଣଙ୍କ ଯାଜପୁର ଦେବୀଦ୍ୱାର ଅଞ୍ଚଳର ନକୁଳ ଚମ୍ପିଆଙ୍କ ଝିଅ ତୁଳସୀ ଚମ୍ପିଆ(୧୦) ଓ ଗୁରୁତର ଜଣଙ୍କ ଅଭିମନ୍ୟୁ ଜେନା ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ତୁଳସୀ ମାମୁଘରେ ରହି ପଢୁଥିଲେ। ପ୍ରଥମାଷ୍ଟମୀ ଅବସରରେ ସେ ତାଙ୍କ ମାଆଙ୍କ ପାଖକୁ ଆସିଥିଲେ। ପ୍ରତିଦିନ ପରି ଶୁକ୍ରବାର ସକାଳ ପ୍ରାୟ ୭ଟା ପୂର୍ବରୁ ଅଭିମନ୍ୟୁଙ୍କ ଘର ପାଖ ଦେଇ ପଡ଼ିଥିବା ଜଙ୍ଗଲିଆ ରାସ୍ତାରେ କିଛି ପିଲା ପାଣି ପାଇଁ ଯାଇଥିଲେ। ସେଠାରୁ ଫେରିବା ସମୟରେ ଅଭିମନ୍ୟୁଙ୍କ ଘରକୁ ଟଣାଯାଇଥିବା ସର୍ଭିସ୍‌ ତାର ତାର ଛିଡ଼ି ଯାଇଥିଲା।

ତେବେ ଏଥିପ୍ରତି କାହାରିବି ଧ୍ୟାନ ନଥିବାବେଳେ ଏହି ଟଣାଯାଇଥିବା ତାରକୁ ଅଭିମନ୍ୟୁ ଧରିପକାଇବାରୁ ବିଜୁଳି ଆଘାତ ପାଇଥିଲେ। ତୁରନ୍ତ ତାଙ୍କ ଘରଲୋକେ ଧାଇଁ ଆସି ବାଡ଼ି ଯୋଗେ ବାଡ଼ାବାଡ଼ି କରି ତାଙ୍କୁ ଉଦ୍ଧାର କରୁଥିବା ବେଳେ କିଛି ଦୂରରେ ଝିଅଟିଏ ମରି ପଡ଼ିଥିବାର ଦେଖିଥିଲେ। ଉଭୟଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ଝିଅ ତୁଳସୀ ମୃତ ବୋଲି ଡାକ୍ତର ଘୋଷଣା କରିଥିବାବେଳେ ଅଭିମନ୍ୟୁ ଗୁରୁତର ଥିବା ଜଣାପଡ଼ିଛି। ବିଦ୍ୟୁତ୍ ବିଭାଗର ବେପରୁଆ ନୀତି ଯୋଗୁଁ ଏପରି ଅଘଟଣ ଘଟିଥିବା ସାଧାରଣରେ ଆଲୋଚନା ହେଉଛି।