ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ସମରଖାଇ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ସ୍ପଷ୍ଟ ଦିବାଲୋକରେ ଆଜି ଜଣେ ଚାଷୀଙ୍କଠାରୁ ୩ଜଣ ଦୁର୍ବୁତ୍ତ ୧ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି । ଚାଷୀ ଜଣକ ହେଲେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରୀକଳା ଗ୍ରାମର ସୁନ୍ଦରଲାଲ ପାତ୍ର ।
ମିଳିଥିବା ରିପୋର୍ଟ ମୁତାବକ, ସୁନ୍ଦରଲାଲ ପାତ୍ର ନିଜ ପୁଅ ଓ ଅନ୍ୟଜଣେ ଯୁବକଙ୍କ ସହ ଏକ ବାଇକ ଯୋଗେ ଆଜି ବଳମ ବଜାରକୁ ବଳଦ କିଣିବାକୁ ଆସୁଥିଲେ । ଏହି ସମୟରେ ସମରଖାଇ ଗ୍ରାମ ନିକଟରେ ୩ଜଣ ଅଜ୍ଞାତ ଯୁବକ ଏକ ବାଇକରେ ଆସି ପଛପଟୁ ଧକ୍କା ଦେଇଥିଲେ । ଫଳରେ ସୁନ୍ଦରଲାଲ ଓ ଅନ୍ୟ ୨ଜଣ ରାସ୍ତାରେ ପଡ଼ିଯିବା ପରେ ଦୁର୍ବୁତ୍ତମାନେ ଏକ ପିସ୍ତଲ ମୁନରେ ସେମାନଙ୍କୁ ଭୟଭୀତ କରାଇ ପ୍ୟାଣ୍ଟ ପକେଟରେ ଥିବା ୧ଲକ୍ଷ ଟଙ୍କାକୁ ଲୁଟି ନେଇଥିଲେ । ଟଙ୍କା ଲୁଟିବା ପରେ ଭୁଜାଲିରେ ଆକ୍ରମଣ କରି ଦୁର୍ବୁତ୍ତ ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ଗ୍ରାମବାସୀଙ୍କ ସହାୟତାରେ ଭର୍ତ୍ତି କରିଥିଲେ । ସୂଚନା ପାଇ ଦେବଗଡ଼ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।