ଅଲିମ୍ପିକ୍ସ ଟିକେଟ ଲାଗି କୋଚ-ଅଧିନାୟକ ଆଶାବାଦୀ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ବିଶ୍ୱର ଶ୍ରେଷ୍ଠ କ୍ରୀଡ଼ା ପ୍ରତିଯୋଗିତା ଗ୍ରୀଷ୍ମକାଳୀନ ଅଲିମ୍ପିକ୍ ହକିରେ ଏକଦା ଭାରତର ପ୍ରାଧାନ୍ୟ ରହିଥିଲା। ଏଥିରେ ଭାରତ ଏକାଦିକ୍ରମେ ୬ଟି ଏବଂ ମୋଟରେ ୮ଟି ସ୍ୱର୍ଣ୍ଣପଦକ ଜିତି ପ୍ରଭାବ ଜାହିର କରିଥିଲା। କିନ୍ତୁ ହକି ସ୍ପିଡ୍ ଗେମରେ ପରିଣତ ହେବା ପରେ ଭାରତର ଆଉ ସେ ପ୍ରାଧାନ୍ୟ ରହି ନଥିଲା। ଏପରିକି ୧୯୮୦ରେ ଦଳ ଶେଷଥର ଲାଗି ପଦକ ଜିତିଥିଲା। ସ୍ପେନକୁ ହରାଇ ୮ମ ସ୍ୱର୍ଣ୍ଣ ପଦକ ଜିତିବା ପରେ ଭାରତର ପ୍ରଦର୍ଶନ ଅତ୍ୟନ୍ତ ଦୟନୀୟ ହୋଇଛି। ଏହା ପରେ ପଦକ ଜିତିବା ତ ଦୂରର କଥା ଭାରତ ଯୋଗ୍ୟତା ଅର୍ଜନ କରିବାକୁ ସଂଘର୍ଷ କରୁଛି।

ଅଲିମ୍ପିକ୍ସର ମୋଟୋ ହେଉଛି ଖେଳୱାଡ ମନୋଭାବ ନେଇ ଅଂଶଗ୍ରହଣ କରିବା। ଏହାକୁ ଭାରତ ଠିକ୍ ଭାବେ ଗ୍ରହଣ କରିଛି ଏବଂ ୧୯୮୦ ପରେ ପ୍ରତ୍ୟେକ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ସଂଘର୍ଷ କରିଆସିଛି। ଏହା ମଧ୍ୟରେ ୨୦୨୦ରେ ଜାପାନର ଟୋକିଓ ସହରରେ ଗ୍ରୀଷ୍ଣକାଳୀନ ଅଲିମ୍ପିକ୍ସ ଅନୁଷ୍ଠିତ ହେବ। ଏଥିରେ ହକି ଇଭେଣ୍ଟରେ ୧୨ଟି ଦଳ ଅଂଶଗ୍ରହଣ କରିବେ। ୫ଟି ମହାଦେଶୀୟ କ୍ରୀଡ଼ାରେ ଚାମ୍ପିଅନ୍ ଓ ଆୟୋଜକ ଦେଶ ସିଧାସଳଖ ଯୋଗ୍ୟତା ଅର୍ଜନ କରିବାର ନିୟମ ରହିଛି। ଏହା ପରେ ବିଭିନ୍ନ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରୁ ଶ୍ରେଷ୍ଠ ଦଳ ବଛାଯାଇ ଅଲିମ୍ପିକ୍ କୋଟା ପୂରଣ କରାଯିବ। ଏହି ନିୟମ ଅନୁଯାୟୀ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ବା ଅଲିମ୍ପିକ୍ ହକି କ୍ୱାଲିଫାୟର୍ସ ମୁକାବିଲା ଅନୁଷ୍ଠିତ ହେବ। ଏହା କୌଣସି ଟୁର୍ଣ୍ଣାମେଣ୍ଟ ନୁହେଁ ବରଂ ଗୋଟିଏ ପ୍ରତିଦ୍ୱନ୍ଦ୍ୱୀ ଦେଶ ସହ ଡବଲ ଲେଗ୍ ମୁକାବିଲା। ନଭେମ୍ବର ୧ ଓ ୨ରେ ଏହି ମୁକାବିଲା ଅନୁଷ୍ଠିତ ହେବ ଏବଂ ଏଥିରେ ଯେଉଁ ଦଳ ବିଜୟୀ ହେବ ସେହି ଦଳ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବ। ଭାରତ ଏହି ମୁକାବିଲାର ମହିଳା ବିଭାଗରେ ଆମେରିକା ଏବଂ ପୁରୁଷ ବିଭାଗରେ ରୁଷିଆ ସହ କ୍ରମାଗତ ଦୁଇଟି ଦିନରେ ୨ଟି ମ୍ୟାଚ୍ ଖେଳିବ।

ଏହି ମୁକାବିଲା ଲାଗି ଭାରତ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ପ୍ରସ୍ତୁତି ଶିବିର ଚଳାଇଛି। ଶୁକ୍ରବାର ୨୨ ଜଣିଆ ଦଳକୁ ୧୮ରେ ପରିଣତ କରି ଖେଳାଳିଙ୍କ ନାମ ତାଲିକା ଘୋଷଣା କରିଛି। ଦୀର୍ଘଦିନ ପରେ ମହିଳା ଦଳର ଅଲିମ୍ପିକ୍ ଖେଳିବା ଆଶା ରହିଥିବାରୁ ଉଭୟ ଖେଳାଳି ଏବଂ ସମର୍ଥକମାନେ ବେଶ ଖୁସୀ ଅଛନ୍ତି। ଆମେ ଏହି ମୁକାବିଲା ଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛୁ ଏବଂ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଆଶାବାଦୀ ଅଛୁ ବୋଲି ମହିଳା ଦଳର ଅଧିନାୟିକା ରାନୀ ରାମପାଲ କହିଛନ୍ତି। ଗତ ଦୁଇ ତିନି ବର୍ଷର ପ୍ରସ୍ତୁତିରେ ଆମର ଫିଟନେସସ୍ତରରେ ଢେର ଉନ୍ନତି ଆସିଛି ଏବଂ ଏବେ ଆମେ ବିଶ୍ୱର ଯେ କୌଣସି ଦଳ ସହ ଟକ୍କର ଦେବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି। ସେହିପରି ଯୁବ ଖେଳାଳିମାନେ ଦକ୍ଷତାର ସହ ଦଳରେ ସାମିଲ ହୋଇ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଛନ୍ତି। ସବୁ ଦୃଷ୍ଟିରୁ ଦେଖିଲେ ଆମେ ଆମେରିକା ବିପକ୍ଷ ମୁକାବିଲା ଲାଗି ବେଶ୍ ପ୍ରସ୍ତୁତ ବୋଲି ରାନୀ କହନ୍ତି। କଳିଙ୍ଗ ଷ୍ଟାଡିୟମରେ ଆମେ ପ୍ରଥମଥର ଖେଲିବାକୁ ଯାଉଛୁ। ଏଠାରେ ପୁରୁଷ ଦଳକୁ ଭରପୁର ସମର୍ଥନ ମିଳିଥିବା ଆମେ ଜାଣିଛୁ। ଏଣୁ ଏଠାରେ ଖେଳିବାକୁ ସମସ୍ତ ଖେଳାଳି ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି ବୋଲି ରାନୀ କହିଥିଲେ। ସେହିପରି କୋଚ୍ ଜୋଏର୍ଡ ମାରିନଙ୍କ ମତରେ ଆମେ ହକିର ସମସ୍ତ ବିଭାଗ ଏବଂ ପ୍ରତିଦ୍ୱନ୍ଦ୍ୱୀଙ୍କ ଦକ୍ଷତାକୁ ନେଇ ଯୋଜନା ପ୍ରସ୍ତୁତ କରିଛୁ।ଏହାକୁ କିପରି ଠିକ୍ ଭାବେ ରୂପାୟନ କରାଯାଇ ପାରିବ ତାହା ଉପରେ ଆମେ କ୍ୟାମ୍ପରେ ଗୁରୁତ୍ୱ ଦେଉଛୁ। ଗ୍ରେଟବ୍ରିଟେନ ସହ ୫ଟି ମ୍ୟାଚ୍ ଖେଳି ଆମେ ଅନେକ କିଛି ଶିକ୍ଷା ଲାଭ କରିଛୁ ଏବଂ ତାହାକୁ ଏହି ମ୍ୟାଚରେ ପ୍ରୟୋଗ କରିବୁ ବୋଲି ମାରିନ୍ କହିଛନ୍ତି।

ଅନ୍ୟପକ୍ଷରେ ପ୍ରତିଦ୍ୱନ୍ଦ୍ୱୀ ଯିଏ ହେଉ ନା କାହିଁକି ଆମେ ସେମାନଙ୍କୁ ଆଦୌ ହାଲକା ଭାବେ ନେଉନାହୁଁ। ଅଲିମ୍ପିକ୍ସ ବିଶ୍ୱର ସର୍ବବୃହତ୍ କ୍ରୀଡ଼ା। ଏଥିରେ ଭାଗ ନେବାକୁ ସମସ୍ତ ଦେଶ ଜୋରଦାର ପ୍ରୟାସ କରିଥାନ୍ତି। ଆମେ ଯେପରି ପ୍ରସ୍ତୁତି କରୁଛୁ ଆମ ପ୍ରତିଦ୍ୱନ୍ଦ୍ୱୀ ରୁଷିଆ ମଧ୍ୟ ସେହିପରି ପ୍ରସ୍ତୁତି କରି ଆସୁଛି। ଏଣୁ ଆମେ ପ୍ରଥମେ ରୁଷିଆକୁ ହରାଇ ଅଲିମ୍ପିକ୍ସ ଟିକେଟ ହାସଲ କରିବା ପରେ ଯାଇ ଅନ୍ୟ କଥା ଚିନ୍ତା କରିବୁ ବୋଲି କହିଛନ୍ତି ଭାରତୀୟ ପୁରୁଷ ଦଳର ଅଧିନାୟକ ମନପ୍ରୀତ୍ ସିଂ। ଏଠାରେ ପୂର୍ବରୁ ଖେଳାଯାଇଥିବା ମ୍ୟାଚରେ ଭାରତ ୧୦-୦ ଗୋଲରେ ରୁଷିଆକୁ ହରାଇଥିଲା। କିନ୍ତୁ ଏଥର ମୁକାବିଲା ଏକତରଫା ହୋଇ ନପାରେ ବୋଲି ମନପ୍ରୀତ୍ ଭବିଷ୍ୟବାଣୀ କରିଛନ୍ତି। ଅନ୍ୟ ପକ୍ଷରେ କୋଚ୍ ଗ୍ରାହାମ୍ ରିଡ୍ଙ୍କ ମତରେ ଆମେ ବେଲଜିୟମ୍ ଏବଂ ସ୍ପେନକୁ ହରାଇ ଏହି ମୁକାବିଲା ଲାଗି ଭଲ ପ୍ରସ୍ତୁତି କରିଛୁ। କଳିଙ୍ଗ ଷ୍ଟାଡିୟମରେ ଭାରତର ଭଲ ରେକର୍ଡ ରହିଛି। ତାହାକୁ ଆମେ ବଜାୟ ରଖିବା ସହ ଅଲିମ୍ପିକ୍ସରେ ଉନ୍ନତ ପ୍ରଦର୍ଶନ କରିବୁ ବୋଲି ଆଶା ରଖିଛି। ଆସନ୍ତା ୧୯ ଓ ୨୬ ତାରିଖରେ ଭାରତୀୟ ଦଳ ଅଭ୍ୟାସ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି।