ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ କନକତୋରା ଗ୍ରାମ ନିକଟରେ ଥିବା ଏକ ଆମ୍ବ ଗଛରୁ ଜଣେ ବୟସ୍କ ବ୍ୟକ୍ତିଙ୍କ ଅର୍ଦ୍ଧଗଳିତ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ବ୍ୟକ୍ତି ଜଣଙ୍କ ରାୟଗଡ଼ ଜିଲ୍ଲା ସପନେଇ ଗ୍ରାମର ସୁନ୍ଦରଲାଲ ସିଦାର(୫୮)। ସୂଚନା ଅନୁଯାୟୀ, ସୁନ୍ଦରଲାଲ ଗତ ୨୭ ତାରିଖରେ କନକତୋରା ବାବୁଡେରାସ୍ଥିତ ନିଜ ଝିଅ ଜ୍ୱାଇଁ ଘରକୁ ଯାଇଥିଲେ। ସେଠାରେ ଝିଅ ଜ୍ୱାଇଁ ସହ ପୌଷ ପୂର୍ଣ୍ଣିମା ପାଳନ କରି କୁଆଡେ ଚାଲିଯାଇଥିଲେ।
ଝିଅ ଜ୍ୱାଇଁ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ସୁନ୍ଦରଲାଲଙ୍କୁ ନ ପାଇବାରୁ ଗତ ୧ ତାରିଖରେ କନକତୋରା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆଜି ସକାଳୁ ସ୍ଥାନୀୟ ଲୋକେ ବିଲରେ କାମ କରୁଥିବାବେଳେ ଏକ ଆମ୍ବ ଗଛରେ ସୁନ୍ଦରଲାଲଙ୍କ ମୃତ ଦେହ ଝୁଲୁଥିବା ଦେଖି ତାଙ୍କର ପରିବାରବର୍ଗ ଓ ପୁଲିସକୁ ଖବର ଦେଇଥିଲେ। କନକତୋରା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।