ଜମି ଜବରଦଖଲ କାରୀଙ୍କ ଆକ୍ରମଣରେ ବୃଦ୍ଧା ମୃତ

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ ଏକ ଜମି ବିବାଦକୁ ନେଇ ଗଣ୍ଡଗୋଳ। ଏହି ପରିପ୍ରେକ୍ଷୀରେ ଜଣେ ବୃଦ୍ଧାର ମୃତ୍ୟୁ ହୋଇଥିବା ଜଣାଯାଇଛି। ସୂଚନା ଅନୁସାରେ ବାଲିଆପାଳ ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର କଟରାମହଲ ଗ୍ରାମର ୟୁଜିଏମଇ ସ୍କୁଲର କିଛି ଜମିକୁ ଉକ୍ତ ଗ୍ରାମର ଭାନୁ ଦଳେଇ ଓ ତାଙ୍କ ପରିବାର ୨ ବର୍ଷ ଧରି ଜବର ଦଖଲ କରି ରଖିଥିଲେ। ଏ ନେଇ ଗ୍ରାମବାସୀ ବାଲିଆପାଳ ଥାନାରେ ଏକାଧିକବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିଲା।

ରବିବାର ରାତ୍ରିରେ ଭାନୁ ଦଳେଇ ଓ ତାଙ୍କ ପରିବାର ଲୋକେ ସ୍କୁଲ ଭିତ୍ତିଭୂମୀରେ ବେଆଇନ ଭାବେ ପ୍ରାଚୀର ନିର୍ମାଣ କରିଥିଲେ। ଏହା ଦେଖି ଗ୍ରାମବାସୀମାନେ ରୁଣ୍ଡ ହେବା ସହ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଗଣ୍ଡଗୋଳରୁ ରୂପ ନେଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଧତ୍ତା ଦଳେଇ ଓ ତାଙ୍କ ପରିବାରର ଲୋକେ ସେହି ଗ୍ରାମର ବୃଦ୍ଧ ରାମଚନ୍ଦ୍ର ଗିରି (୭୦)ଙ୍କୁ ବେଲଚା ଏବଂ ଅନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ।

ଏଥିରେ ଗଭୀର ଆଘାତ ପାଇଥିବା ରାମଚନ୍ଦ୍ର ଗିରିଙ୍କୁ ଗ୍ରାମବାସୀମାନେ ବାଲେଶ୍ବର ଡାକ୍ତରଖାନାକୁ ଆଣୁଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଥିରେ ରମେଶ ଦଳେଇ, ଲକ୍ଷ୍ମୀ ସ୍ବାଇଁ, ମନ୍ମଥ ଗିରି, ପଞ୍ଚାନନ ଗିରି, ମିଆଁ ପାତ୍ର,ରମେଶ ସ୍ବାଇଁ ଏବଂ ସଚୀନ୍ଦ୍ର ପାତ୍ର ପ୍ରମୁଖ ଆହତ ହୋଇଥିବା ଜଣାଯାଇଛି। ଏହି ଘଟଣାରେ ପୁଲିସ ଭାନୁ ଦଳେଇ ଏବଂ ତାଙ୍କ ପୁଅକୁ ଗିରଫ କରିଥିବା ଜଣାଯାଇଛି।