ଭବାନୀପାଟଣା,ଏନ୍ଏନ୍ଏସ୍: ଗତ ୧୭ ତାରିଖ ଠାରୁ ନିଖୋଜ ଥିବା କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମୁଖିଗୁଡା ଇନ୍ଦ୍ରାବତୀ ଓଏଚପିସି ଜିଏମ୍ ନାରାୟଣ ପ୍ରସାଦ ମେହେରଙ୍କ ମୃତଦେହ ଆଜି ମୂଖିଗୁଡା ଏଆରଟେଲ ଟାୱାର ନିକଟରୁ ଉଦ୍ଧାର କରାଯାଇଛି। ନିଖୋଜ ପରେ ପତ୍ନୀ ସୁରେଖା ମେହେର ସ୍ୱାମୀଙ୍କୁ ଅପହରଣ କରାଯାଇଥିବା ନେଇ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଆଜି ପୀଡିତ ପରିବାର କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧରଙ୍କୁ ଭେଟି ତୁରନ୍ତ ସ୍ୱାମୀଙ୍କୁ ଖୋଜି ବାହାର କରିବାକୁ ଅନୁରୋଧ କରିଥିଲେ।
ତେବେ ନିଖୋଜର ୬ ଦିନ ପରେ ମୁଖିଗୁଡା ଏଆରଟେଲ ଟାୱାର ନିକଟରୁ ସ୍ୱାମୀଙ୍କ ମୃତଦେହ ଠାବ ହେବା ଘଟଣାକୁ ନେଇ ପତ୍ନି ସୁରେଖା ତାଙ୍କ ସ୍ୱାମୀଙ୍କୁ ଅପହରଣ କରିନେଇ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ଜୟପାଟଣା ପୋଲିସ ଶବ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ଜୟପାଟଣା ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି।
ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ମୁଖିଗୁଡା ଅଞ୍ଚଳ ମାଓ ପ୍ରବଣ ହୋଇଥିବା ବେଳେ ମୃତ ଜିଏମ୍ ମଧ୍ୟ ହାତ ଉଧାରୀ କାରବାର କରୁଥିବାରୁ କେହି ତାଙ୍କୁ ଅପହରଣ ପରେ ହତ୍ୟାକରିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।