ଯୁକ୍ତ ୨ ଅଫଲାଇନ ପରୀକ୍ଷା ନେଇ ଆଜିଠୁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁୁବନେଶ୍ୱର,ଏନ୍ଏନ୍ଏସ୍: ଯୁକ୍ତ ୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ହେବାକୁ ଥିବା ସ୍ୱତନ୍ତ୍ର ପରୀକ୍ଷା ପାଇଁ ଆଜିଠୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ଗୁରୁବାର ଅପରାହ୍ଣ ୨ଟାରୁ ୯ ତାରିଖ ଅପରାହ୍ଣ ଗୋଟିଏ ପର୍ଯ୍ୟନ୍ତ ନାମ ପଞ୍ଜୀକରଣ କରିପାରିବେ। ଏଥିପାଇଁ କଲେଜଗୁଡିକୁ ଲିଙ୍କ ପଠାଯାଇଛି।

ଛାତ୍ରଛାତ୍ରୀ ନିଜ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାମ୍ ଓ ଇ-ସ୍ପେସ୍ ମାଧ୍ୟମରେ ପଞ୍ଜୀକରଣ କରିବେ। ପରୀକ୍ଷା ପାଇଁ ପଞ୍ଜୀକରଣ ପରେ ପରୀକ୍ଷାର୍ଥୀଙ୍କୁ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ମିଳିଥିବା ମାର୍କକୁ ଗଣନା କରାଯିବ ନାହିଁ। ସମସ୍ତ ବିଷୟରେ ପରୀକ୍ଷା ହେବ ନାହିଁ। ମାତ୍ର କେତେକ ପ୍ରମୁଖ ବିଷୟରେ ପରୀକ୍ଷା କରାଯିବ। ସେଥିପାଇଁ ପରୀକ୍ଷାର୍ଥୀ ଯେଉଁ ମାର୍କ ରଖିବେ ତାହାକୁ ଆଧାର କରି ଅନ୍ୟ ବିଷୟରେ ମାର୍କ ପ୍ରଦାନ କରାଯିବ।

ପଞ୍ଜୀକରଣ ଶେଷ ହେବା ପରେ ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ଦେଖି ପରୀକ୍ଷା ସୂଚୀ ଓ କେନ୍ଦ୍ର ଧାର୍ୟ୍ୟ ହେବ । ଏହି ପରୀକ୍ଷା ପାଇଁ ପଞ୍ଜୀକରଣ କରିବାକୁ ଥିବା ଛାତ୍ରଛାତ୍ରୀଙ୍କୁ କୌଣସି ଫି ଦେବାକୁ ପଡିବ ନାହିଁ। ପ୍ରଶ୍ନପତ୍ର ଢାଞ୍ଚାରେ ବି କିଛି ପରିବର୍ତ୍ତନ ହେବନି ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି।