ଓଡ଼ିଶା ରାସ୍ତାକୁ ଆନ୍ଧ୍ର କରୁଛି ମରାମତି

କୋରାପୁଟ,ଏନ୍ଏନ୍ଏସ୍: ପଟ୍ଟାଙ୍ଗୀ ତହସିଲ ସମ୍ବାଇ ପଞ୍ଚାୟତର ସୁନାବେଡ଼ାରେ ଓଡ଼ିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ଥିବା ସୀମା ବିବାଦର ସମାଧାନ ହୋଇନଥିବା ବେଳେ ଆନ୍ଧ୍ର ପୁଣି ଦାଦାଗିରି ଦେଖାଇଛି। ସୁନାବେଡ଼ା ଅଞ୍ଚଳରେ ଓଡ଼ିଶା ଦ୍ୱାରା ନିର୍ମିତ ରାସ୍ତା ଉପରେ ଆନ୍ଧ୍ର ପ୍ରଶାସନ ଜୋରଜବରଦସ୍ତ ମରାମତି କରି ନିଜ ପତିଆରା ଜାହିର କରିବାକୁ ଉଦ୍ୟମ କରିଛି। ଆନ୍ଧ୍ରର ଏଭଳି ଜବରଦଖଲ ଘଟଣା ଜାଣିବା ପରେ ପଟ୍ଟାଙ୍ଗୀ ତହସିଲର ଅତିରିକ୍ତ ତହସିଲଦାର ମହାଦେବ ଭତ୍ରା ଘଟଣାସ୍ଥଳକୁ ଯାଇ ଅନଧ୍ୟାନ କରି ଫେରିଛନ୍ତି। ସୁନାବେଡ଼ା ସୀମା ବିବାଦର ସମାଧାନ ନିମନ୍ତେ ଗତ ୩ ତାରିଖରେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଓ ଅନ୍ୟାନ୍ୟ ଅଧିକାରୀ ଆନ୍ଧ୍ର ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସୀମା ନିର୍ଦ୍ଧାରଣ ପର୍ଯ୍ୟନ୍ତ ଉଭୟ ଗ୍ରାମବାସୀ ଶାନ୍ତି ବଜାୟ ରଖିବାକୁ ନିବେଦନ କରାଯାଇଥିଲା। ଆଲୋଚନା ମୁତାବକ ଡିସେମ୍ବର ୪ରୁ ଜିଲ୍ଲାପାଳ କାର୍ଯ୍ୟାଳୟର ରାଜସ୍ୱ ଅଧିକାରୀ ଅର୍ଚ୍ଚନା ଦାସ, ପଟ୍ଟାଙ୍ଗୀ ତହସିଲଦାର ହରିପଦ ମଣ୍ଡଳ ଓ ରାଜସ୍ୱ ବିଭାଗ କର୍ମଚାରୀ ସୁନାବେଡ଼ା ଯାଇ ସର୍ଭେ ଶେଷ କରିଥିବାବେଳେ ଆନ୍ଧ୍ର ପ୍ରଶାସନର କୌଣସି ପଦାଧିକାରୀ ଆସିନଥିଲେ। ଆନ୍ଧ୍ର ଅଧିକାରୀ ବିବାଦୀୟ ସୀମାନ୍ତ ଅଞ୍ଚଳକୁ କେବେ ଆସିବେ ଓ ଓଡ଼ିଶା ସହ ଯୁଗ୍ମ ସର୍ଭେ କରାଯାଇ ସୀମା ନିର୍ଦ୍ଧାରଣ କରିବେ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଆନ୍ଧ୍ରର ଏହି କାରନାମା ସାଧାରଣରେ ନିନ୍ଦା କରାଯାଉଛି। ଏଥିସହିତ ଜିଲ୍ଲା ପ୍ରଶାସନ ତୁରନ୍ତ ଏହାର ସମାଧାନ କରିବାକୁ ଦାବି ହେଉଛି।