ଦାବୀ ପୂରଣ ନହେଲେ ଏପ୍ରିଲ ୧୭ରୁ ସମୂହ ଛୁଟିରେ ଯିବୁ : ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘର ୫ ଦଫା ଦାବୀ ପୂରଣ ନହେଲେ ଚଳିତ ମାସ ୧୭ ତାରିଖରୁ ସମୂହ ଛୁଟିରେ ଯିବାକୁ ଚେତାବନୀ ଦେଇଛନ୍ତି । ଏନେଇ ଏକ ସାମ୍ୱାଦିକ ସମ୍ମିଳନୀରେ ନବରଙ୍ଗପୁର ଶାଖା ପକ୍ଷରୁ ସୂଚନା ଦିଆଯାଇଛି । ଫାର୍ମାସିଷ୍ଟଙ୍କର ମୂଳ ଦରମା ଗ୍ରେଡ ପେ ୨୪୦୦ ଟଙ୍କାରୁ ୨୮୦୦ ଟଙ୍କାକୁ ବୃଦ୍ଧି, ୨ବର୍ଷ ଚାକିରି ପରେ ସମୟାନୁକ୍ରମେ ସମସ୍ତଙ୍କୁ ଗ୍ରେଡ ପେ ୪,୨୦୦ଟଙ୍କା ଦିଆଯାଉ । ଫାର୍ମାସିଷ୍ଟ ପଦବୀକୁ ଫାର୍ମାସୀ ଅଫିସର ଭାବେ ନାମକରଣ କରାଯାଉ । ସରକାର ୨୦/୦୪/୨୦୨୨ରେ ପ୍ରକାଶ କରିଥିବା ସଂଶୋଧିତ ଫାର୍ମାସିଷ୍ଟ କ୍ୟାଡ଼ର ୦୧/୦୧/୨୦୧୬ ପରିବର୍ତ୍ତେ ୨୪/୦୮/୨୦୧୩ରୁ କରାଯାଇ ତୁରନ୍ତ ପଦନ୍ନୋତି ଦିଆଯାଉ । ୨୦୧୩ ପୂର୍ବରୁ ଠିକା ନିଯୁକ୍ତି ପାଇ କାର୍ଯ୍ୟ କରିଥିବା ସମସ୍ତ ଫାର୍ମାସିଷ୍ଟଙ୍କ କାର୍ଯ୍ୟକାଳକୁ ବରିଷ୍ଠତା ନିମନ୍ତେ ବିବେଚନା କରାଯିବା ସହ ଆର୍ଥିକ ସୁବିଧା ନିଶ୍ଚିତ କରାଯାଉ । ଏମଏଚୟୁ ଓ ଆରବିଏସକେ ଅଧୀନରେ କାର୍ଯ୍ୟରତ ସମସ୍ତ ଫାର୍ମାସିଷ୍ଟଙ୍କୁ ସ୍ୱାସ୍ଥ୍ୟ ବିଭାଗର ଖାଲି ସ୍ଥାନରେ ନିୟମିତ ନିଯୁକ୍ତି ଦିଆଯାଉ । ଏନେଇ ବିଭିନ୍ନ ସମୟରେ ଆଲୋଚନା କରାଯାଇଥିଲେ ମଧ୍ୟ ଏଯାବତ କୌଣସି ସୁଫଳ ମିଳିନାହିଁ । ଚଳିତ ମାସ ୧୫ ତାରିଖ ମଧ୍ୟରେ ଯଦି କୌଣସି ପଦକ୍ଷେପ ନ ନିଆଯାଏ ତେବେ ୧୭ ତାରିଖରୁ ସମୂହ ଛୁଟିରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରହିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯିବା ସହ ନିଷ୍ପତ୍ତି ହୋଇଛି ବୋଲି ସାଧାରଣ ସମ୍ପାଦକ ଜଗନ୍ନାଥ ରଥ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସଭାପତି ସୁବିର ସାହୁ, ରମା ରମଣ ପଣ୍ଡା, ସୁରେନ୍ଦ୍ର କୁମାର ମହାପାତ୍ର, ରୋହିତ ବିଷୋୟୀ, ଲିଟୁପ୍ରଭା ରାଉତ, ଚିତ୍ରସେନ ଜେନା ଓ ପ୍ରଦୀପ୍ତା ଶଗରିଆ ପ୍ରମୁଖ ଉପସ୍ଥିତ ଥିଲେ ।