ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟ ପାଇଁ ଖୁସି ଖବର। ବ୍ୟବସାୟ ସଂସ୍କାର ଆକ୍ସନ ପ୍ଲାନ କାର୍ଯ୍ୟାନ୍ୱୟନ(BRAP)ର ‘ଆଚିଭର୍ସ’ ଶ୍ରେଣୀରେ ସ୍ଥାନ ପାଇଛି ଓଡିଶା। ଏଥିପାଇଁ ଟପ୍ ଆଚିଭର୍ସ, ଆଚିଭର୍ସ, ଅସ୍ପାୟାର୍ସ ଏବଂ ଇମର୍ଜିଙ୍ଗ ବିଜନେସ୍ ଇକୋସିଷ୍ଟମ୍ ଭଳି ଚାରୋଟି ଶ୍ରେଣୀ ରଖାଯାଇ ଥିବାବେଳେ ଓଡିଶା ଆଚିଭର୍ସ ଶ୍ରେଣୀରେ ରହିଛି। ରାଜ୍ୟ ସରକାରଙ୍କର ଭିତ୍ତିଭୂମିର ବିକାଶ ଓ ବ୍ୟବସାୟ ଉପଯୋଗୀ ପରିବେଶ ରାଜ୍ୟକୁ ସଫଳତା ଯୋଗାଇଛି।
ବ୍ୟବସାୟ ସଂସ୍କାର ଆକ୍ସନ ପ୍ଲାନ କାର୍ଯ୍ୟାନ୍ୱୟନ ଆଧାରରେ ଓଡ଼ିଶା BRAP ର ‘ଆଚିଭର୍ସ’ ଶ୍ରେଣୀରେ ସ୍ଥାନ ପାଇଛି । ଏହି ତାଲିକାରେ ଅନ୍ୟ ବିକଶିତ ରାଜ୍ୟକୁ ପଛରେ ପକାଇଛି ଓଡ଼ିଶା । ଆନ୍ଧ୍ର ପ୍ରଦେଶ, ଗୁଜରାଟ, ହରିୟାଣା, କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡୁ ଏବଂ ତେଲଙ୍ଗାନା ଟପ୍ ଆଚିଭର୍ସ ରାଜ୍ୟ ତାଲିକାରେ ଅଛନ୍ତି । ହିମାଚଳ ପ୍ରଦେଶ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ ଏବଂ ଉତର ପ୍ରଦେଶ ପରି ବଡ଼ ରାଜ୍ୟ ସହିତ ଓଡିଶା ଆଚିଭର୍ସ ଶ୍ରେଣୀରେ ରହିଛି । ଆସାମ, ଛତିଶଗଡ, ଗୋଆ, ଝାଡଖଣ୍ଡ, କେରଳ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ମହତ୍ୱାକାଂକ୍ଷୀ(ଆସ୍ପିରର୍ସ) ଶ୍ରେଣୀରେ ରହିଛନ୍ତି ।
ଆଣ୍ଡାମାନ ଏବଂ ନିକୋବର, ବିହାର, ଚଣ୍ଡୀଗଡ, ଡାମନ ଏବଂ ଡିୟୁ, ଦାଦ୍ରା ଏବଂ ନଗର ହାବେଳି, ଦିଲ୍ଲୀ, ଜମ୍ମୁ-କାଶ୍ମୀର, ମଣିପୁର, ମେଘାଳୟ, ନାଗାଲାଣ୍ଡ, ପୁଡୁଚେରୀ ଏବଂ ତ୍ରିପୁରାକୁ ଇମର୍ଜିଂ ବିଜନେସ୍ ଇକୋସିଷ୍ଟମ୍ ଶ୍ରେଣୀରେ ରଖା ଯାଇଛି । ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀରେ ବ୍ୟବସାୟ ସଂସ୍କାର ଆକ୍ସନ ପ୍ଲାନ(ବିଆର୍ଏପି), ୨୦୨୦ ଅନୁସାରେ ଏହାର ପଞ୍ଚମ ସଂସ୍କରଣରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ଆକଳନ ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ଘୋଷଣାଗୁଡିକ ବାଣିଜ୍ୟ ଏବଂ ଉଦ୍ୟୋଗ, ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ବୟନ ମନ୍ତ୍ରୀ ପୀୟୁଷ ଗୋଏଲ୍, ଡିପିଆଇଆଇଟି ସଚିବ ଅନୁରାଗ ଜୈନ ଓ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କର ବରିଷ୍ଠ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ ।
