ସିନିଅର୍ ମହିଳା ଟି-୨୦: ସେମିରେ ହାରିଲା ଓଡ଼ିଶା

କଟକ,ଏନ୍‌ଏନ୍‌ଏସ୍‌: ଚଳିତ ସିନିଅର୍ ମହିଳା ଟି-୨୦ ଟ୍ରଫିରେ ସୋମବାର ଓଡ଼ିଶା ଦଳର ବିଜୟ ଧାରାରେ ବ୍ରେକ୍ ଲାଗିଛି। ପୂର୍ବରୁ ଲିଗ୍‌ରେ ଅପରାଜେୟ ରହି ଦଳ କ୍ୱାର୍ଟର୍‌ରେ ପହଞ୍ଚିଥିଲା। କ୍ୱାର୍ଟର୍ ଫାଇନାଲ୍‌ରେ ବିଜୟୀ ହୋଇ ଦଳ ସେମିରେ ପହଞ୍ଚିଥିଲେ ହେଁ ଏହି ପର୍ଯ୍ୟାୟରେ ରେଲୱେଜ୍‌ଠାରୁ ୩୫ ରନ୍‌ରେ ପରାସ୍ତ ହୋଇଛି।

ପ୍ରଥମେ ବ୍ୟାଟିଂ କରି ରେଲୱେଜ୍ ମାତ୍ର ୨ଟି ୱିକେଟ୍ ବିନିମୟରେ ୧୫୯ ରନ୍ କରିଥିଲା। ଦଳ ପକ୍ଷରୁ ଏସ୍ ମେଘନା ୮୪ ଓ ନୁଝତ୍ ପରବୀନ୍ ୫୫ ରନ୍ କରିଥିଲେ। ବୋଲିଂରେ ଓଡ଼ିଶା ପକ୍ଷରୁ ପ୍ରିୟଙ୍କା ପ୍ରିୟଦର୍ଶିନୀ ଗୋଟିଏ ୱିକେଟ୍ ନେଇଥିଲେ। ବ୍ୟାଟିଂରେ ଓଡ଼ିଶା ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ୍ ହରାଇ ମାତ୍ର ୧୨୪ ରନ୍ କରିଥିଲା। ଦଳ ପକ୍ଷରୁ ଓପନର ମାଧୁରୀ ମେହେଟା ୩୫ ଓ ସୁଶ୍ରୀ ଦିବ୍ୟଦର୍ଶିନୀ ୨୯ ରନ୍ କରିଥିଲେ। ରେଲୱେଜ୍ ପକ୍ଷରୁ ସ୍ୱାଗତିକା ରଥ ଓ ତନୁଜା କନୱର୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।