ରାୟଗଡା,ଏନ୍ଏନ୍ଏସ୍: ହିମାଚଳ ପ୍ରଦେଶର ରୋହତାଙ୍ଗପାସ ପର୍ଯ୍ୟଟନ ସ୍ଥଳୀର ପର୍ଯ୍ୟଟକଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇ ସାହାସାକିତାର ପରିଚୟ ଦେଇଛନ୍ତି ୨ଜଣ ଓଡିଆ ଝିଅ। ନିଜ ଜୀବନକୁ ବାଜି ଲଗାଇ ବରଫରେ ଫସି ରହିଥିବା ୪ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣିଛନ୍ତି ଆକାକ୍ଷାଂ ସାହୁ ଓ ଆୟୁସୀ ସାହୁ। ଆକାକ୍ଷାଂ ଓ ଆୟୁସୀଙ୍କ ଏହି ଉଦ୍ୟମ ଓ ସାହାସିକତାକୁ ପର୍ଯ୍ୟଟକଙ୍କ ପରିବାର ପ୍ରସଶାଂ କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି । ରାୟଗଡା ସହରର ରିଙ୍ଗରୋଡରେ ନିଜ ପରିବାର ସହ ବାସ କରନ୍ତି ଆକାକ୍ଷାଂ। କିଛି ଦିନ ତଳେ ସେ ନିଜ ପରିବାର ସହ ପାରଳାଖେମୁଣ୍ଡିରେ ରହୁଥିବା ସଂପର୍କୀୟ ଭଉଣୀ ଆୟୁସୀ ସହ ମିଶି ରୋହତାଙ୍ଗପାସ୍ ବୁଲିବାକୁ ଯାଇଥିଲେ । ଗତ ଶୁକ୍ରବାର ସକାଳେ ସମସ୍ତେ ରୋହତାଙ୍ଗପାସର ଗ୍ଲାସିୟର ପଏଣ୍ଟରେ ବରଫାଛନ୍ନ ପାହାଡ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିବା ବେଳେ ହଠାତ୍ ବର୍ଷା ଆରମ୍ଭ ହୋଇଥିଲା।
ବର୍ଷା ପରେ ତାପମାତ୍ରା ହ୍ରାସ ପାଇ ୮ ଡିଗ୍ରିରେ ପହଚିଂଥିଲା। ପ୍ରାୟ ୧୫୦ ରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ ଗ୍ଲାସିୟର ପଏଟଂରେ ଉପସ୍ଥିତ ଥିବା ବେଳେ ପ୍ରତିକୂଳ ପାଗ ପ୍ରଭାବରେ ବରଫ ତରଳିବାରେ ଲାଗିଥିଲା। ପୂରା ପାହାଡ ବରଫାବୃତ ହୋଇ ରହିଥିବାରୁ ବରଫ ତରଳିବା ଆରମ୍ଭ ହବା ପରେ ପର୍ଯ୍ୟଟକ ଭୟଭିତ ହୋଇ ପଡିଥିଲେ। କିଛି ସ୍ଥାନର ବଡ ବଡ ବରଫ ଖଣ୍ଡ ଧସି ତଳେ ପଡିବା ପରେ ପର୍ଯ୍ୟଟକ ମାନେ ତଳକୁ ଓହ୍ଲାଇବା ପାଇଁ ଚେଷ୍ଟା କରିଥିଲେ। ତରବରିଆ ଭାବେ ତଳକୁ ଓହ୍ଲାଉଥିବା ସମୟରେ କିଛି ପର୍ଯ୍ୟଟକ ଖସି ପଡି ଆହାତ ହୋଇଥିଲେ। ଏହି ସମୟରେ ଗୋଟିଏ ବିରାଟ ବରଫ ଖଣ୍ଡ ଧସିବା ଯୋଗୁଁ ବହୁ ପର୍ଯ୍ୟଟକ ତଳକୁ କଚାଡି ହୋଇ ପଡି ଯାଇଥିଲେ । ଆକାକ୍ଷାଂ ଏବଂ ତାଙ୍କ ପରିବାରର ସମସ୍ତେ ଅଘଟଣରୁ ବର୍ତ୍ତି ତଳକୁ ଓହ୍ଲାଇ ଆସିବାରେ ସକ୍ଷମ ହୋଇଥିଲେ। ତେବେ ଆଖପାଖରେ ଥିବା ରାଜସ୍ଥାନର ଦୁଇ ମହିଳା ପର୍ଯ୍ୟଟକ ସେମାନଙ୍କ ଦୁଇ ଶିଶୁଙ୍କ ସହ ଉପରେ ଫସି ରହିଯାଇଥିଲେ।
ବରଫ ଖଣ୍ଡ ଧସୁଥିବା ଯୋଗୁଁ ଓହ୍ଲାଇବାକୁ ସାହାସ କରିପାରୁ ନଥିଲେ। ଫସିଥିବା ପର୍ଯ୍ୟଟକ ଭୟଭୀତ ଅବସ୍ଥାରେ ଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆକାକ୍ଷାଂ ଓ ସଂପର୍କୀୟ ଭଉଣୀ ଆୟୁଷି ପାହାଡ ଉପରକୁ ସାହାସର ସହ ଚଡି ଯାଇଥିଲେ। ପ୍ରଥମେ ଦୁଇ ଶିଶୁଙ୍କୁ ଧରି ଉଭୟ ତଳକୁ ଓହ୍ଲାଇବା ପରେ ଫସି ରହିଥିବା ମହିଳା ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇବାରେ ସକ୍ଷମ ହୋଇଥିଲେ। ପ୍ରବଳ ବରଫାପାତ ଓ ଥଣ୍ଡା ଯୋଗୁଁ ଦୁଇ ଶିଶୁଙ୍କ ମୁହଁ ଫୁଲି ଯାଇଥିଲା। ମହିଳା ପର୍ଯ୍ୟଟକ ଫସି ରହିଥିବା ସ୍ଥାନରେ ଥଣ୍ଡା ଓ ବରଫ ମାଡ ଯୋଗୁଁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା ସମୟରେ ଓଡିଆ ଝିଅ ଦେବଦୂତ ହୋଇ ତାଙ୍କୁ ଉଦ୍ଧାର କରିଥିବାରୁ ଚାରିଆଡୁ ପ୍ରଶଂସାର ସୂଅ ଛୁଟିବାରେ ଲାଗିଛି।