ଜୁନ୍‌ ୬ ଯାଏଁ ଚାଲିବ ପଛୁଆ ବର୍ଗ ସର୍ଭେ

ଭୁବନେଶ୍ବର: ରାଜ୍ୟରେ ଚାଲିଛି ଓବିସି ସର୍ଭେ । ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ପଛୁଆ ବର୍ଗ ଲୋକମାନଙ୍କ ସର୍ଭେ(OBC) ସମୟକୁ ବୃଦ୍ଧି କରାଯାଇଛି । ଆସନ୍ତା ଜୁନ ୬ ତାରିଖ ପର୍ଯ୍ୟନ୍ତ ସର୍ଭେ ଚାଲିବ । ରାଜ୍ୟ ପଛୁଆ ବର୍ଗ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ସର୍ଭେରେ ପ୍ରତିଦିନ ଏନୁମରେଟରମାନେ ଘରକୁ ଘର ବୁଲି ପଛୁଆ ବର୍ଗ ଲୋକମାନଙ୍କର ୬ ତାରିଖ ଯାଏଁ ତଥ୍ୟ ସଂଗ୍ରହ କରିବେ । ସର୍ଭେର ସମସ୍ତ ପ୍ରକ୍ରିୟା ଆଜି ଅର୍ଥାତ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ନିର୍ଘଣ୍ଟ ହୋଇଥିଲା । କିନ୍ତୁ ମେ’ ମାସ ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଏହାସହିତ କାଳବୈଶାଖୀ ମଧ୍ୟ ତାଣ୍ଡବ କରୁଛି । ଫଳରେ ସର୍ଭେ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ପଛୁଆ ବର୍ଗ ଆୟୋଗ ନୂଆ ପଦକ୍ଷେପ ନେଇଛନ୍ତି । ବିଭିନ୍ନ ଦିଗରୁ ବିଚାର କରି ଆୟୋଗ ସର୍ଭେ କାର୍ଯ୍ୟ ସମୟକୁ ବୃଦ୍ଧି କରିଛନ୍ତି ।

ମେ’ ୧ ତାରିଖରୁ ଆରମ୍ଭ ହୋଇଛି ପଛୁଆ ବର୍ଗ ସର୍ଭେ । ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ଜାରି ରହିବ ବୋଲି ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ପଛୁଆ ବର୍ଗ ବ୍ୟକ୍ତିମାନେ ତଥ୍ୟ ପ୍ରଦାନ କରିନାହାନ୍ତି ସେମାନେ ନିଜର ଓ ପରିବାର ସଦସ୍ୟଙ୍କ ତଥ୍ୟ ପ୍ରଦାନ କରିବାକୁ ଆୟୋଗ ଅନୁରୋଧ କରିଛନ୍ତି । ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ଜାଣିବାକୁ ଏହି ସର୍ଭେ କରାଯାଉଛି । ଓବିସି ଭାଇ ଓ ଭଉଣୀମାନେ ସର୍ଭେରେ ସାମିଲ ହେବା ଲାଗି ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ଅଙ୍ଗନବାଡ଼ି କେନ୍ଦ୍ର ଓ ଅନ୍ୟ ସର୍ଭେ ସେଣ୍ଟରରେ ତଥ୍ୟ ଦାଖଲ କରିବାକୁ କୁହାଯାଇଛି ।