ନବୀକରଣ ହେବ ହରେକୃଷ୍ଣ ମହତାବ ପାଠାଗାର, ମିଳିବ ୱାଇଫାଇ ସହ ଫୁଡକୋଟ୍‌ ସୁବିଧା

ଭୁବନେଶ୍ବର: ୫ଟି ଉପକ୍ରମରେ ନବୀକରଣ ହେବ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର । ପାଠାଗାରରେ ମିଳିବ ୱାଇଫାଇ ସହିତ ଫୁଡକୋଟ ସୁବିଧା । ଆୟୋଜନ ହେବ କ୍ୟାରିଅର କାଉନସେଲିଂ ଓ ମୋଟିଭେସନାଲ ଟକ । ସେହିପରି ବାପୁଜୀ ନଗରରେ ଜନ ଲାଇବ୍ରେରୀ ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗତକାଲି(ଶୁକ୍ରବାର) ୫-ଟି ସଚିବ ଭି.କେ ପାଣ୍ଡିଆନ ଭୁବନେଶ୍ବରର ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ପରିଦର୍ଶନ କରିଛନ୍ତି । ସେଠାରେ ସେ ଛାତ୍ରଛାତ୍ରୀଙ୍କ ସହିତ ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଛନ୍ତି ।

ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ରାଜ୍ୟର ଏକ ପ୍ରମୁଖ ପାଠାଗାର । ପ୍ରତିଦିନ ଏଠାକୁ ଶହ ଶହ ଛାତ୍ରଛାତ୍ରୀ ଆସିଥାନ୍ତି । ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବ ବର୍ଗ ଓ ସାଧାରଣ ଲୋକ ଅଧ୍ୟୟନ ପାଇଁ ଆସିଥାନ୍ତି । ପାଠାଗାରଟି ପୁରୁଣା ହୋଇଯାଇଥିବାରୁ ଏହାର ପୁନରୁଦ୍ଧାର କରାଯିବ । ଚୌକି, ଟେବୁଲ ଓ ଅନ୍ୟ ଆସବାବପତ୍ରର ନବୀକରଣ ହେବ । ଏହା ସହ ଚଟାଣ ଓ ବିଭିନ୍ନ ସିଭିଲ ଷ୍ଟ୍ରକଚରର ମଧ୍ୟ ଉନ୍ନତି କରାଯିବ । ତା ସହିତ ପୁସ୍ତକ ଗୁଡିକ ଅତ୍ୟାଧୁନିକ ପଦ୍ଧତିରେ ସଂରକ୍ଷଣ ସହ ସଂପୂର୍ଣ୍ଣ ପାଠାଗାରକୁ ବାତାନୁକୂଳିତ କରାଯିବ । ପାଠାଗାର ପରିସରରେ ଥିବା ନୂତନ କୋଠାରେ ଆସବାବପତ୍ର ଓ ବାତାନୁକୂଳ ବ୍ୟବସ୍ଥା କରାଯାଇ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଓ ଜନସାଧାରଣ ଯେଭଳି ସୁବିଧାରେ ଅଧ୍ୟୟନ କରିପାରିବେ, ସେଥିପାଇଁ ପଦକ୍ଷେପ ନିଆଯିବ ।