ରାଜ୍ୟକୁ ମିଳିବ ଓବିସି ତାଲିକା କରିବାର ଅଧିକାର, ବିଲ୍‌କୁ ମଞ୍ଜୁରି ଦେଲେ ମୋଦୀ କ୍ୟାବିନେଟ୍

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ରର ମୋଦୀ ସରକାର ଚଳିତ ସପ୍ତାହରେ ଓବିସି ସଂରକ୍ଷଣ ସମ୍ବନ୍ଧିତ ସମ୍ଵିଧାନ ସଂଶୋଧିତ ବିଧେୟକ ସଂସଦରେ ଉପସ୍ଥାପନ କରି ପାରନ୍ତି। କେନ୍ଦ୍ର ମନ୍ତ୍ରିମଣ୍ଡଳ ଏହି ବିଧେୟକକୁ ବୁଧବାର ମଞ୍ଜୁରି ପ୍ରଦାନ କରିଛି। ଏହି ବିଧେୟକରେ ରାଜ୍ୟଗୁଡିକୁ ଓବିସି ତାଲିକା ପ୍ରସ୍ତୁତ କରିବାର ଅଧିକାର ଦିଆଯିବାର ପ୍ରାବଧାନ ରହିଛି। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ ବୁଧବାର ଏହାକୁ ମଞ୍ଜୁରି ମିଳିଛି।

ଏହି ବିଧେୟକ ଏଥିପାଇଁ ଆଣିବାକୁ ପଡିଛି କାରଣ ନିକଟରେ ସୁପ୍ରିମ କୋର୍ଟ ଅନ୍ୟ ପଛୁଆ ବର୍ଗର ତାଲିକା ପ୍ରସ୍ତୁତ କରିବା ପାଇଁ ରାଜ୍ୟର ଅଧିକାର ଉପରେ ରୋକ୍ ଲଗାଇଥିଲେ। ରାଜ୍ୟ ସରକାର ଓବିସି ତାଲିକା ନିର୍ଦ୍ଧାରଣ ନିଜେ କରୁଥିବା ବେଳେ କେନ୍ଦ୍ରୀୟ ସେବା ପାଇଁ କେନ୍ଦ୍ର ଅଲଗା କରିଥାଏ। ହେଲେ ସୁପ୍ରିମକୋର୍ଟ ମେ’ ୫ରେ ବହୁମତ ଆଧାରିତ ନିଷ୍ପତ୍ତିର ସମୀକ୍ଷା କରିବା କେନ୍ଦ୍ରର ଆବେଦନ ଖାରଜ କରି ଦେଇଥିଲେ। ଏଥିରେ କୁହାଯାଇଥିଲା ଯେ, ୧୦୨ ତମ ସମ୍ବିଧାନ ସଂଶୋଧନ ଚାକିରି ଏବଂ ନିଯୁକ୍ତିରେ ସାମାଜିକ ଏବଂ ଶିକ୍ଷା କ୍ଷେତ୍ରରେ ପଛୁଆଙ୍କୁ ସଂରକ୍ଷଣ ଦେବା ରାଜ୍ୟର ଅଧିକାରକୁ ପ୍ରତ୍ୟାହାର କରୁଛି।