ଭୁବନେଶ୍ୱର/ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଦେଶରେ ସମଗ୍ର ଶିକ୍ଷକ ଯୋଜନା ୨.୦କୁ କ୍ୟାବିନେଟ ମଞ୍ଜୁରି ମିଳିଛି। ୨,୯୪,୨୮୩.୦୪ କୋଟି ଟଙ୍କାର ଯୋଜନାରେ କେନ୍ଦ୍ରର ଅଂଶ ରହିବ ୧,୮୫,୩୯୮.୩୨ କୋଟି। ଚଳିତ ବର୍ଷ ଏପ୍ରିଲ ପହିଲାରୁ ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ନୂତନ ଶିକ୍ଷା ଯୋଜନା କାର୍ଯ୍ୟକାରୀ ହେବ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ ସ୍କୁଲ ଶିକ୍ଷା କ୍ଷେତ୍ରରେ ଏହି ଐତିହାସିକ ନିଷ୍ପତ୍ତି ନିଆଯାଇଛି। ଏ ସମ୍ବନ୍ଧରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିସହିତ ଶ୍ରୀ ପ୍ରଧାନ କହିଛନ୍ତି କି ଏହା ଦ୍ୱାରା ସ୍କୁଲ ଶିକ୍ଷା କ୍ଷେତ୍ରରେ ନୂତନ ଯୁଗ ଆରମ୍ଭ ହେବ। ଏଥିରେ ପ୍ରି ସ୍କୁଲରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସାମିଲ ହେବେ। ସାର୍ବଜନୀନ ଶିକ୍ଷା ସହିତ ସ୍କୁଲର ଭିତ୍ତିଭୂମି ଓ ପିଲାମାନେ କେମିତି ସ୍କୁଲ ଛାଡ଼ି ଯିବେ ନାହିଁ ତାହା ଉପରେ ଗୁରୁତ୍ୱ ଦିଆଯିବ।
ସେହିପରି ଏହି ଯୋଜନାରେ ଉଭୟ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନର ୧.୧୬ ନିୟୁତ ସ୍କୁଲ, ୧୫୬ ନିୟୁତରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଏବଂ ୫.୭ ନିୟୁତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଲାଭବାନ ହେବେ। ସେହିପରି ସରକାରୀ ସ୍କୁଲରେ ବି ଆରମ୍ଭ ହେବ ପ୍ଲେ ସ୍କୁଲ। ଯାହାଦ୍ୱାରା ଦେଶର ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରାଯାଇପାରିବ। ଶିକ୍ଷା ପାଇଁ ନିରନ୍ତର ଯୋଜନା ବା ଏସଡିଜି ୪ ଲକ୍ଷ ନୂଆ ଶିକ୍ଷାନୀତି ୨୦୨୦ର ଅନ୍ତର୍ଭୁକ୍ତୀକରଣ ଏବଂ ସ୍କୁଲ ଶିକ୍ଷା କ୍ଷେତ୍ରରେ ସମସ୍ତଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ କରିବାରେ ସଫଳ ହେବ। ବିଭିନ୍ନ ପୃଷ୍ଠଭୂମିରୁ ଆସୁଥିବା ସବୁ ଶ୍ରେଣୀର ପିଲାମାନଙ୍କୁ ଉପଯୁକ୍ତ ଶ୍ରେଣୀଗୃହ ଶିକ୍ଷା ଦେବା ସମଗ୍ର ଶିକ୍ଷଶ ୨.୦ର ଉଦ୍ଦେଶ୍ୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଏହି ଯୋଜନାରେ ଶିକ୍ଷକ ଓ ଅଙ୍ଗନବାଡ଼ି କର୍ମୀମାନଙ୍କର ଉପଯୁକ୍ତ ତାଲିମ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସରକାରୀ ସ୍କୁଲରେ ପିଲା ମୁଣ୍ଡପିଛା ୫୦୦ ଟଙ୍କା ବ୍ୟୟରେ ଶିକ୍ଷା ଉପକରଣ ଯୋଗାଇ ଦେବାର ପ୍ରି-ପ୍ରାଇମେରୀ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ଶିକ୍ଷକମାନଙ୍କ ପାଇଁ ମୁଣ୍ଡପିଛା ୧୫୦ ଟଙ୍କାର ଟିଚର ମାନ୍ୟୁଆଲ ଯୋଗାଇ ଦିଆଯିବ। ସେହିପରି ପ୍ରତି ଜିଲ୍ଲାରେ ଏହାର ସଫଳ ରୂପାୟନ ହୋଇଛି କି ନାହିଁ ତାର ମୂଲ୍ୟାୟନ ପାଇଁ ଜିଲ୍ଲା ପିଛା ୧୦-୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ମାଧ୍ୟମିକ ଶିକ୍ଷା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଯାତାୟାତ ପାଇଁ ବାର୍ଷିକ ମୁଣ୍ଡପିଛା ୬ ହଜାର ଟଙ୍କାର ବ୍ୟବସ୍ଥା କରାଯାଇଛି। ସ୍କୁଲ ବାହାରେ ଥିବାର ୬-୧୯ ବର୍ଷର ଅନୁସୂଚିତ ଜାତି ଓ ଜନଜାତିର ପିଲାମାନଙ୍କ ପାଇଁ ବିଶେଷ ଅର୍ଥ, ଖେଳ ପାଇଁ ବିଶେଷ ଯୋଜନା କରାଯାଇଛି।
ଛାତ୍ରୀନିବାସ ପାଇଁ ଆର୍ଥିକ ସୁବିଧା, ଛାତ୍ରୀମାନଙ୍କ ପାଇଁ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ପାଇଁ ମୁଣ୍ଡ ପିଛା ଖର୍ଚ୍ଚ ୩ ହଜାରରୁ ୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସ୍କୁଲର ଛାତ୍ରଛାତ୍ରୀମାନେ କିଛିଦିନ ବିନା ବ୍ୟାଗରେ ସ୍କୁଲ ଆସି ଆନୁଷଙ୍ଗିକ ଶିକ୍ଷା ନେବାର ବ୍ୟବସ୍ଥା ହୋଇଛି। ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ଡିବିଟି ମାଧ୍ୟମରେ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ଦିଆଯିବ। ଏଥିସହ ୫ ବର୍ଷ ମଧ୍ୟରେ ଅନ୍ୟୁନ ଥରେ ସବୁ ସ୍କୁଲରେ ସୋସିଆଲ ଅଡିଟ କରାଯିବାର ବ୍ୟବସ୍ଥା କରାଯାଇଛି।