ରାୟଗଡ ଝିଅ ସ୍ମରଣିକା ପାଇଲେ ଓ.ଏ.ଏସ୍

ରାୟଗଡ଼ା,ଏନ୍ଏନ୍ଏସ୍ : ଲୋକସେବା ଆୟୋଗ, ଓଡ଼ିଶା ଦ୍ୱାରା ଆୟୋଜିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷା-୨୦୧୮ରେ ରାୟଗଡ ଝିଅ ସୁଶ୍ରୀ ସ୍ମରଣିକା ତୁଳ କୃତକାର୍ଯ୍ୟ ହୋଇ ଦଶମ ସ୍ଥାନରେ ରହିଛନ୍ତି। ସ୍ମରଣିକା ହେଉଛନ୍ତି କୋପରେଟିଭ୍ କଲୋନୀ, ରାୟଗଡରେ ରହୁଥିବା ଶିକ୍ଷକ ଦମ୍ପତିି ମନ୍ମଥ ତୁଳ ଓ ସୁଧାଂଶୁବାଳା ନାୟକ ବେହେରାଙ୍କ ଦ୍ୱିତୀୟ ସନ୍ତାନ।

ସ୍ମରଣୀକା ୬-୧୨-୧୯୯୪ରିଖରେ ଜନ୍ମଗ୍ରହଣ କରିଥିଲେ। ଜବାହର ନବୋଦୟ ବିଦ୍ୟାଳୟ, ରାୟଗଡରେ ମାଟ୍ରିକ୍ ପରୀକ୍ଷାରେ ୯୩% ମାର୍କ ରଖି ପାଶ କରିଥିବାବେଳେ ଜବାହର ନବୋଦୟ ବିଦ୍ୟାଳୟ, ଗଜପତିରୁ +୨ ପରୀକ୍ଷାରେ ମଧ୍ୟ ୯୩% ମାର୍କ ରଖି କୃତିତ୍ୱ ହାସଲ କରିଥିଲେ। ଏହାପରେ ସେ ଗାନ୍ଧୀ ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ, ଗୁଣପୁରରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ବି.ଟେକ୍ ଡିଗ୍ରୀ ହାସଲ କରି ଓଡିଶା ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ଦୈନିକ ୬ ରୁ ୭ ଘଂଟା ପରିଶ୍ରମ କରି ଏଭଳି ସଫଳତା ପାଇଥିବା ସ୍ମରଣିକା ଏହାର ଶ୍ରେୟ ନିଜର ବାପାମାଆ, ଶିକ୍ଷକ ଓ ଭାଇଭଉଣୀଙ୍କୁ ଦେବାକୁ ଚାହିଁଛନ୍ତି।

ଉପାନ୍ତ ଅଂଚଳରେ ଆଦିବାସୀମାନଙ୍କ ସେବା କରିବା ତାଙ୍କର ପ୍ରଥମ ଲକ୍ଷ୍ୟ ହେବ ଏବଂ ଏଥିପାଇଁ ସେ ଆଦିବାସୀ ମଙ୍ଗଳ ବିଭାଗରେ ଚାକିରି ପାଇଲେ ଖୁସିହେବେ ବୋଲି କହିଛନ୍ତି। ସୋମବାର ପରୀକ୍ଷାଫଳ ଘୋଷିତ ହେବା ସହ ସ୍ମରଣିକା ଓ.ଏ.ଏସ୍. ପାଇବା ଖବର ଟିଭିରେ ପ୍ରସାରିତ ହେବାପରେ ତାଙ୍କ ପରିବାର ଓ ବନ୍ଧୁ ମହଲରେ ଖୁସିର ଲହରି ଖେଳିଯାଇଛି। ବାପ ମା’ କହିଛନ୍ତି ଝିଅର ସ୍ୱପ୍ନ ସାର୍ଥକ ହୋଇଥିବାରୁ ଆମେ ଖୁବ୍ ଗୌରବାନ୍ୱିତ। ସ୍ମରଣିକାଙ୍କର ଏହି କୃତିତ୍ୱ ପାଇଁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।