ନୂଆପଡ଼ା,ଏନ୍ଏନ୍ଏସ୍ : ବିଶ୍ୱ ବ୍ୟାପୀ କରୋନା ସହ ସଂଘର୍ଷ କରୁଥିବା ବେଳେ ଏହାର ମୁକାବିଲା କରିବାକୁ ପ୍ରତ୍ୟେକ ଜିଲ୍ଲାସ୍ତରରେ ମଧ୍ୟ ତତ୍ପରତା ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ନୂଆପଡ଼ା ଜିଲ୍ଲାରେ ତୃଣମୂଳସ୍ତରରେ ଲୋକଙ୍କୁ କରୋନା ସଂକ୍ରାନ୍ତରେ ସଚେତନ କରାଇବା ନେଇ ଜିଲ୍ଲାପରିଷଦ ସଭ୍ୟଙ୍କ ଉପସ୍ଥିତିରେ ଏକ ବୈଠକ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ କରୋନା ସଚେତନତା ଏବଂ ପ୍ରତିଷେଧକ ବ୍ୟବସ୍ଥା ଉପରେ ନିଆଯାଇଥିବା କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଅବଗତ କରିବାକୁ କଲାହାଣ୍ଡି ସାସଂଦ ବସନ୍ତ ପଣ୍ଡା କହିଥିଲେ। ଏହାକୁ ନେଇ ସାଂସଦ ଏବଂ ବିଧାୟକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତ ସୃଷ୍ଟି ହୋଇଥିଲା। ତେଣୁ ବୈଠକରେ କରୋନା ସଚେତନା ନେଇ କୌଣସି ନିଷ୍କର୍ଷ ବାହାରି ନ ଥିବାରୁ ଏହାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି ।
ଶନିବାର ପୂର୍ବାହ୍ଣ୧୧ଟାରେ ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଜିଲ୍ଲାପାଳ ମଧୁସ୍ମିତା ସାହୁ, କଳାହାଣ୍ଡି ସାସଂଦ ବସନ୍ତ କୁମାର ପଣ୍ଡା, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢ଼ୋଲକିଆ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଭାନୁପ୍ରତାପ ସିଂ ମାଝୀ, ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡା. କାଳୀପ୍ରସାଦ ବେହେରା, ଜିଲ୍ଲା ମେଡିକାଲ ଅଫିସର ଡା. ପି.କେ.ଭି. ପଟ୍ଟନାୟକ, ଏଙ୍ଗିଏମଓ ପିଏଚଡି ରୁକ୍ମଣୀ ବେହେରା, ଡିଆର୍ଡିଏ ପିଡି ମଧୂଛନ୍ଦା ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଜିଲ୍ଲା ଚିକିତ୍ସା ବିଭାଗ ପକ୍ଷରୁ କରୋନା ସଂକ୍ରମଣକୁ ନେଇ କ’ଣ ସବୁ ପଦକ୍ଷେପ ନିଆଯାଇଛି ସେ ନେଇ ଅବଗତ କରିବାକୁ କୁହାଯାଇଥିଲା।
ହେଲେ ଉପସ୍ଥିତ ଜିଲ୍ଲା ପରିଷଦ ସଭ୍ୟମାନେ ଜିଲ୍ଲାରେ ଆଶାନୁରୂପ ସଚେତନତା କାର୍ଯ୍ୟ ହେଉ ନଥିବା କହିଥିଲେ। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଥିବା କହିଥିଲେ। ସାସଂଦ ଶ୍ରୀ ପଣ୍ଡା ଭୁବନେଶ୍ୱର ଏବଂ ଦିଲ୍ଲୀସ୍ତରରେ ଯେତିକି କରୋନା ସଂକ୍ରାନ୍ତରେ ସଚେତନତା ପଦକ୍ଷେପ ନିଆଯାଉଛି ତାକୁ କାର୍ଯ୍ୟକାରି କରିବାକୁ ବୈଠକରେ କହିଥିଲେ। ରାଜ୍ୟବାହାରେ ଥିବା ଶ୍ରମିକମାନେ ବର୍ତ୍ତମାନ ଘରକୁ ଫରୁଥିବା ବେଳେ ଜିଲ୍ଲା ପ୍ରଶାସନ ସେଥିପ୍ରତି ଦୃଷ୍ଟି ଦେଉନଥିବା ନେଇ ବର୍ଷିଥିଲେ। ଅନ୍ୟପକ୍ଷେ ବିଧାୟକ ଢ଼ୋଲକିଆ ଅଯଥା କଥା ବୈଠକରେ ଚର୍ଚ୍ଚା ନକରି ଆଲୋଚନାକୁ ଶେଷ କରିବାକୁ କହିଥିଲେ। ଏନେଇ ବିଧାୟକ ଢ଼ୋଲକିଆ ଏବଂ ସାଂସଦ ପଣ୍ଡାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଶେଷରେ ଜିଲ୍ଲାପାଳ ସାହୁ, ବିଧାୟକ ଢ଼ୋଲକିଆ ବୈଠକ ଛାଡ଼ି ଚାଲିଯାଇଥିଲେ। ହେଲେ ସାଂସଦ ପଣ୍ଡା ବହୁ ସମୟ ଧରି ଅପେକ୍ଷା ପରେ ବୈଠକରୁ ଚାଲିଯାଇଥିଲେ। ବୈଠକରେ ଲକ୍ଷ୍ୟ ପୂରଣ ହୋଇ ନଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ବୈଠକରେ କରୋନା ସଂକ୍ରମଣ ସ୍ଥିତିକୁ ଗୁରୁତ୍ୱ ଦେବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ବୈଠକରେ ଜିଲ୍ଲାପରିଷଦ ସଭ୍ୟ ପ୍ରିୟରଞ୍ଜନ ମେହେର, ଗିରିରାଜ ମାଝୀ, ସଭ୍ୟା ସେଫାଳୀ ସେଲମା, ଭୁଗୁଳୀ ସୁନାନୀ ପ୍ରମୁଖ ଉପସ୍ଥିତ ଥିଲେ।