ୟୁଏସ୍‌ବିଏମ୍‌ ଏନ୍‌ଏସ୍‌ଏସ୍‌ ଓ୍ବିଙ୍ଗ୍‌ ପକ୍ଷରୁ ବନ୍ୟାଞ୍ଚଳରେ ରିଲିଫ୍‌ ସାମଗ୍ରୀ ବଣ୍ଟନ

ଭୁବନେଶ୍ବର,ଏନ୍ଏନ୍ଏସ୍: ୟୁନାଇଟେଡ୍‌ ସ୍କୁଲ୍‌ ଅଫ୍ ବିଜନେସ୍‌ ମ୍ୟାନେଜମେଣ୍ଟ୍‌ (ୟୁଏସ୍‌ବିଏମ୍‌) କଲେଜ ତରଫରୁ ଆଜି ବନ୍ୟାଞ୍ଚଳ ପରିଦର୍ଶନ କରାଯିବା ସହ ପାଣି ମଧ୍ୟରେ ସମସ୍ୟା ଘେରରେ ରହିଥିବା ଲୋକମାନଙ୍କୁ ରିଲିଫ୍‌ ସାମଗ୍ରୀ ବଣ୍ଟନ କରାଯାଇଛି। ଅନୁଷ୍ଠାନର ନିର୍ଦ୍ଦେଶକ ସୌମ୍ୟକାନ୍ତ ବଳବନ୍ତରାୟଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ହୋଇଥିଲା ବେଳେ ଉପଦେଷ୍ଟା ଡ. କାହ୍ନୁଚରଣ ସ୍ବାଇଁ, ଅଧ୍ୟକ୍ଷ ଡ. ସଂଜୀବ କୁମାର ଦାସ, ବରିଷ୍ଠ ଅଧ୍ୟାପକ କୈଳାସ ଚନ୍ଦ୍ର ନାୟକ, ଅଧ୍ୟାପକ ସୁବ୍ରତ କୁମାର ରାଉତ ଓ ଅଧ୍ୟାପକ ରଞ୍ଜିତ ଖୁଣ୍ଟିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ୟୁଏସ୍‌ବିଏମ୍‌ କଲେଜର ଏନ୍‌ଏସ୍‌ଏସ୍‌ ଓ୍ବିଙ୍ଗ୍‌ ସାହାଯ୍ୟରେ ଆଜି କଣାସ-ଡେଲାଙ୍ଗ ରୋଡ୍‌ ବନ୍ୟାଞ୍ଚଳ ପରିଦର୍ଶନ ହୋଇଥିଲା। ସେଠାରେ ବନ୍ୟା ଜଳରେ ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟାଯାଇଥିଲା। ଏଥି ସହିତ ସେମାନଙ୍କୁ ଶୁଖିଲା ଖାଦ୍ୟ ମଧ୍ୟ ପ୍ରଦାନ କରାଯାଇଥିଲା। ଏଥିରେ କଲେଜର ଅଧ୍ୟାପକ, ଛାତ୍ରମାନେ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ। ଏହି ଅବସରରେ ପାଖାପାଖି ୨୫୦ ପରିବାରକୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଏନେଇ ବୁଦ୍ଧିଜୀବୀ ମାନେ କଲେଜକୁ ବହୁ ପ୍ରଶଂସା କରିଛନ୍ତି।