ଶପଥ ନେବା ପରେ ପ୍ରଥମ ଥର ମିଡିଆ ସାମ୍ନାରେ ନୀତିଶ କୁମାର, କହିଲେ କାହିଁକି ଏନ୍‌ଡିଏ ଛାଡ଼ିଲେ

ନୂଆଦିଲ୍ଲୀ,ଏଜେନ୍ସି: ଗତ ୮ ବର୍ଷ ମଧ୍ୟରେ ଦ୍ବିତୀୟ ଥର ପାଇଁ ଏନ୍‌ଡିଏ ହାତ ଛାଡ଼ିଛନ୍ତି । ଏନ୍‌ଡିଏ ସରକାର ବେଳେ ଦେଶରେ ଲୋକଙ୍କ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି । ଏହାର ପ୍ରଭାବ ନୀତିଶଙ୍କ ଜନତା ଦଳ ୟୁନାଇଟେଡରେ ମଧ୍ୟ ଦେଖିବାକୁ ମିଳିଥିଲା । ଏଭଳି କିଛି ଘଟଣାକୁ ନେଇ ଗତ ଦୁଇରୁ ତିନି ମାସ ହେଲା ନୀତିଶ ନିଜେ ମଧ୍ୟ ଅସନ୍ତୁଷ୍ଟ ଥିଲେ । ଏଥିପାଇଁ ଏନ୍‌ଡିଏ ଛାଡ଼ି ବିହାରରେ ମହଗଠବନ୍ଧନ ସରକାର କଲେ ବୋଲି କହିଛନ୍ତି ନୀତିଶ କୁମାର ।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି, “ସମସ୍ତଙ୍କୁ ନେଇ କାମ କରି ଆସିଛି । ତାହା ଆଗକୁ ଜାରି ରହିବ । ଆଜି ସମାଜରେ ଲୋକଙ୍କ ମଧ୍ୟରେ ତିକ୍ତତା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସତ୍ତାରେ ରହିବାକୁ ଯେଉଁଭଳି ସ୍ଥିତି ସୃଷ୍ଟି କରାଯାଉଛି ତାହା ଠିକ୍‌ ହେଉନି । ଏଥିପାଇଁ ଆପଣାମାନେ ଦେଖିଥିବେ ଗତ ଦୁଇରୁ ତିନି ମାସ ହେଲା ମୁଁ କାହା ସହ କଥା ହେଉନଥିଲି । ଏହା ବିଲ୍‌କୁଲ୍‌ ଉଚିତ୍‌ ନୁହେଁ ।”

ସେପଟେ ୨୦୨୪ରେ ପ୍ରଧାନ ମନ୍ତ୍ରୀ ପ୍ରାଥିତ୍ବକୁ ନେଇ ମଧ୍ୟ ମନ୍ତବ୍ୟ ଦେଇଛନ୍ତି ନୀତିଶ । ସେ କହିଛନ୍ତି, “ବର୍ତ୍ତମାନ ମୁଁ ତାହାକୁ ନେଇ କୌଣସି କଥା ଭାବୁନାହିଁ । ଏହାକୁ ନେଇ ମୁଁ ଆଗରୁ ବି ବହୁବାର ସ୍ପଷ୍ଟ କରି ସାରିଛି । ମୁଁ ଯାଇ ସମସ୍ତଙ୍କ ସହ କଥା ହେବି । ଏଥିରେ ମୋର କୌଣସି ବ୍ୟକ୍ତିଗତ ମତ ନାହିଁ । ମୁଁ ଚାହୁଁଛି ଯେ ଦେଶ ଆଗକୁ ବଢ଼ୁ ।”

ସେପଟେ ପୂର୍ବତନ ସାଂସଦ ଆରିପିସି ସିଂହଙ୍କ ବୟାନବାଜିଙ୍କୁ ନେଇ ମଧ୍ୟ ନୀତିଶ କୁମାର ମୁହଁ ଖୋଲିଛନ୍ତି । ସେ କହିଛନ୍ତି, “ମୁଁ ତାଙ୍କୁ କେଉଁଠୁ ଆଣି କେଉଁଠି ପହଞ୍ଚାଇଛି ତାହା ସେ ଭୁଲିଗଲେ । ସେ ମୋର ବୁଦ୍ଧି ଭ୍ରଷ୍ଟ ହୋଇଯାଇଛି ବୋଲି ମତ ଦେଉଛନ୍ତି । ଯେଉଁ ବ୍ୟକ୍ତିଙ୍କୁ ମୁଁ ଏତେ ସମ୍ମାନ ଦେଲି ସେ ଏଭଳି ସବୁ କଥା ମୋ ବିଷୟରେ କହୁଛନ୍ତି । ଏଭଳି ମନ୍ତବ୍ୟ ଯୋଗୁଁ ଆମ ଦଳ ସହ ଯୋଡ଼ି ହୋଇଥିବା ବ୍ୟକ୍ତିଙ୍କ ମନରେ ଆଘାତ ପହଞ୍ଚିଛି । ସେଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ।”