ସୁଶାନ୍ତଙ୍କ ପରିବାରକୁ ସମର୍ଥନ କଲେ ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ, ଏଜେନ୍ସି: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପରିବାର ବର୍ତ୍ତମାନ ରୀୟା ଚକ୍ରବର୍ତ୍ତୀଙ୍କ ସହ ଆଇନଗତ ଲଢ଼େଇ ଜାରି ରଖିଛନ୍ତି। ଏଭଳି ପରିସ୍ଥିତିରେ ସୁଶାନ୍ତଙ୍କ ପରିବାର ସଦସ୍ୟଙ୍କ ମନୋବଳ ବଢ଼ାଇବା ପାଇଁ ତାଙ୍କୁ ସମର୍ଥନ କରିଛନ୍ତି ନିର୍ଭୟାଙ୍କ ମା’ ଆଶାଦେବୀ। ସୁଶାନ୍ତଙ୍କ ପରିବାର ସହ ପୂରା ଦେଶ ଛିଡ଼ା ହୋଇଛି ବୋଲି କହିଛନ୍ତି ନିର୍ଭୟାଙ୍କ ମା’। ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି ଯେଉଁଭଳି ନିଜ ଭାଇ ପାଇଁ ନ୍ୟାୟ ମାଗୁଛନ୍ତି, ତାହା ଦେଖି ସେ ଖୁବ୍ ଦୁଃଖୀ ହୋଇଛନ୍ତି ବୋଲି କହିଛନ୍ତି। ସୁଶାନ୍ତଙ୍କ ପରିବାରକୁ ଆଶ୍ୱସ୍ତ କରିବାକୁ ଯାଇ ଆଶାଦେବୀ କାନୁନ ଉପରେ ଭରସା ରଖିବାକୁ କହିଛନ୍ତି। ଏହା ବ୍ୟତୀତ ପୂରା ଘଟଣାରେ ମୁମ୍ବାଇ ସରକାର ଓ ମୁମ୍ବାଇ ପୁଲିସର କାର୍ଯ୍ୟକୁ ନାପସନ୍ଦ କରିଛନ୍ତି ନିର୍ଭୟାଙ୍କ ମା’। ଆଶାଦେବୀ ସୁଶାନ୍ତଙ୍କ ପିତାଙ୍କୁ ମେସେଜ୍ ଦେଇ କହିଛନ୍ତି, ସେ ଧୈର୍ଯ୍ୟ ଧରନ୍ତୁ। ସୁପ୍ରିମକୋର୍ଟ ଉପରେ ଭରସା ରଖନ୍ତୁ। ନିଶ୍ଚିତ ଭାବରେ ନ୍ୟାୟ ମିଳିବ। ସୂଚନାଯୋଗ୍ୟ, ନିକଟରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସୋସିଆଲ ମିଡିଆରେ ଏକ ଭାବପୂର୍ଣ୍ଣ ଭିଡିଓ ସେୟାର କରି ସୁଶାନ୍ତଙ୍କୁ ନ୍ୟାୟ ମିଳିବାରେ ଅଧିକରୁ ଅଧିକ ଲୋକ ସିବିଆଇ ଯାଞ୍ଚ ଦାବି କରନ୍ତୁ ବୋଲି ଅନୁରୋଧ କରିଥିଲେ।