ନୂଆଦିଲ୍ଲୀ,ଏଜେନ୍ସି: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଐତିହାସିକ ସ୍ୱର୍ଣ୍ଣ ଜିତିଥିବା ନିରଜ ଚୋପ୍ରା ଏବେ ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବର୍ତ୍ତମାନ ସେ ବିଶ୍ୱ ଜାଭେଲିନ ଥ୍ରୋ ରାଙ୍କର ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ତାଙ୍କ ପଏଣ୍ଟ ସଂଖ୍ୟା ୧୩୧୫ ରହିଛି। ନିରଜଙ୍କ ଉପରେ ବିଶ୍ୱର ଏକମାତ୍ର ଖେଳାଳି ଜର୍ମାନୀର ଜୋହାନେସ ଭିଟର ଅଛନ୍ତି। ତାଙ୍କ ପଏଣ୍ଟ ସଂଖ୍ୟା ୧୩୯୬ ରହିଛି। ୩ ନଂରେ ପୋଲାଣ୍ଡର ମାରକିନ କ୍ରୁକୋୱିସିକ, ୪ର୍ଥରେ ଚେକ ଗଣରାଜ୍ୟର ଜାକୁବ ଭାଡେଲଜିଚ୍ ଓ ଜର୍ମାନୀର ଜୁଲିଆନ ୱେବର ରହିଛନ୍ତି।
ଚଳିତ ଅଲିମ୍ପିକ୍ସରେ ଭିଟର ହିଁ ନୀରଜଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବୋଲି କୁହାଯାଉଥିଲା। ଫାଇନାଲରେ ସେ ନିରଜଙ୍କ ଥ୍ରୋର ଆଖପାଖ ମଧ୍ୟ ମାଡ଼ି ପାରି ନଥିଲେ। ନିରଜ ପ୍ରଥମ ପ୍ରାୟସରେ ୮୭.୦୩ ମିଟର ଦୂରତାକୁ ଜାଭେଲିନ ଫୋପାଡ଼ିଥିବା ବେଳେ ଭିଟର କେବଳ ସର୍ବାଧିକ ୮୨.୫୨ ମିଟର ସ୍କୋର କରିପାରି ଥିଲେ। ସ୍ଥିତି ଏପରି ହୋଇଥିଲା ଯେ ଭିଟର ଟପ୍ ୮ ମଧ୍ୟରେ ବି ରହିପାରି ନଥିଲେ। ଦ୍ୱିତୀୟ ପ୍ରୟାସରେ ୮୭.୫୮ ମିଟର ଦୂରତାକୁ ଜାଭେଲିନ ଫୋପାଡ଼ି ସ୍ୱର୍ଣ୍ଣ ପଦକ କରାୟତ କରିଥିଲେ ନିରଜ।
ଅଲିମ୍ପିକ୍ସରେ ନିରଜ ସ୍ୱର୍ଣ୍ଣ ଜିତିଥିବା ବେଳେ ଚେକ ଗଣରାଜ୍ୟର ଜାକୁବ ରୌପ୍ୟ ଓ ସେହି ଦେଶର ଭି ଭେସଲେ ବ୍ରୋଞ୍ଜ ପଦକ ଜିତିଛନ୍ତି। ସୂଚନାଯୋଗ୍ୟ, ଭାରତ ଚଳିତ ଅଲିମ୍ପିକ୍ସରେ ନୀରଜଙ୍କ ସ୍ୱର୍ଣ୍ଣ ସହ ମୋଟ ୭ଟି ପଦକ ଜିତିଛି। ଏହା ଅଲିମ୍ପିକ୍ସରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ। ଭାରତ ଶେଷଥର ପାଇଁ ୨୦୧୨ରେ ସର୍ବାଧିକ ୬ଟି ପଦକ ଜିତିଥିଲା।