ଅହମ୍ମଦାବାଦ,ଏଜେନ୍ସି: ଗୁଜରାଟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଙ୍ଗଳବାର ୪ଟି ପ୍ରମୁଖ ସହର ଅହମ୍ମଦାବାଦ, ସୁରଟ, ବଦୋଦରା ଓ ରାଜକୋଟରେ ନାଇଟ୍ କର୍ଫ୍ୟୁ ଅବଧି ଦୁଇ ଘଣ୍ଟା ବୃଦ୍ଧି କରାଯାଇଛି। ପୂର୍ବରୁ ରାତି ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଏହି ୪ଟି ସହରରେ କର୍ଫ୍ୟୁ ଲାଗୁ ହେଉଥିଲାବେଳେ ଏବେ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଏହା ଲାଗୁହେବ ବୋଲି ଏକ ସରକାରୀ ବିବୃତିରେ କୁହାଯାଇଛି। ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଅଧ୍ୟକ୍ଷତାରେ କରୋନା ସଂକ୍ରମଣ ସମ୍ପର୍କିତ ଟାସ୍କଫୋର୍ସ ବୈଠକ ବସି ଏହି ନିଷ୍ପତ୍ତି ନିଆଯାଇଛି। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ଉଲ୍ଲେଖଯୋଗ୍ୟ, କରୋନା ସଂକ୍ରମଣ କାରଣରୁ ଗୁଜରାଟ କ୍ରିକେଟ୍ ଆସୋସିଏସନ ଏଠାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଭାରତ-ଇଂଲଣ୍ଡ ମଧ୍ୟରେ ଅବଶିଷ୍ଟ ଟି-୨୦ ମ୍ୟାଚଗୁଡ଼ିକ ବିନା ଦର୍ଶକରେ ଖେଳାଯିବାକୁ ଗତ ସୋମବାର ଘୋଷଣା କରିଥିଲା।