ଓପିଜିସି ପାଉଁଶ ପୋଖରୀ ନିର୍ମାଣ ଉପରେ ତଦନ୍ତ ନିର୍ଦ୍ଦେଶ ଦେଲେ ଏନଜିଟି

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ତିଲିଆ ମୌଜା ବନହରପାଲିସ୍ଥିତ ଇବ୍ ଥର୍ମାଲ ଓପିଜିସି ପକ୍ଷରୁ ନିର୍ମାଣଧିନ ପାଉଁଶ ପୋଖରୀକୁ ସଂସାରୀଟିକରା ଗ୍ରାମର ମା ଅମ୍ବିକା ମହିଳା ଗ୍ରୁପ ବିରୋଧ କରି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲର (ଏନଜିଟି)ର ଦ୍ୱାରସ୍ଥ ହୋଇଥିଲେ। ଏନଜିଟି ସେମାନଙ୍କ ଅଭିଯୋଗ ଗ୍ରହଣକରି ଝାରସୁଗୁଡା ଜିଲ୍ଲାପାଳ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମେମ୍ବର ସେକ୍ରେଟାରୀଙ୍କୁ ପାଉଁଶ ପୋଖରୀର ନିର୍ମାଣ ଉପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି। ଏହାସହ ପାଉଁଶ ପୋଖରୀ ନିୟମ ଅନୁଯାୟୀ ତିଆରି ହେଉନଥିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପରବର୍ତ୍ତୀ ଶୁଣାଣି(ଜାନୁଆରୀ୨୦) ପୂର୍ବରୁ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛି।

ସଂସାରୀଟିକରାର ମାଁ ଅମ୍ବିକା ମହିଳା ଗ୍ରୁପ ଏନଜିଟି ନିକଟରେ ଅଭିଯୋଗ କରିଥିଲେ ଯେ, ଜନବସତିର ୪୮ ମିଟର ଦୂରରେ ପାଉଁଶ ପୋଖରୀ ନିର୍ମାଣ କରୁଥିବା ଦର୍ଶାଇ୨୦ ମିଟର ଦୂରରେ ତିଆରି ହେଉଛି। ଏହାସହ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତରରୁ ୫୦୦ ମିଟର ଦୂରତାରେ ପାଉଁଶ ପୋଖରୀ ନିର୍ମାଣ କରାଯିବା ପାଇଁ ପୋଲ୍ୟୁସନ କଂଟ୍ରୋଲ ବୋର୍ଡ ର ନିୟମ ରହିଛି। ଏହାକୁ ମଧ୍ୟ ଓପିଜିସିର ନିର୍ମିତ ହେଉଥିବା ପାଉଁଶ ପୋଖରୀ ଉଲଙ୍ଘନ କରୁଛି ବୋଲି ଅମ୍ବିକା ଗ୍ରୁପ ଅଭିଯୋଗ କରିଛି। ଓପିଜିସି ୟୁନିଟ ୩ ଓ ୪ ର ସମ୍ପ୍ରସାରଣ ପାଇଁ ଜନ ଶୁଣାଣି ଶିବିର ହୋଇଥିଲା ହେଲେ ପାଉଁଶ ପୋଖରୀ ପାଇଁ ଜମି ଅଧିଗ୍ରହଣ କରିବା ସମୟରେ କୌଣସି ଜନ ଶୁଣାଣି ହୋଇ ନାହିଁ ବୋଲି ମହିଳା ଗ୍ରୁପ ପକ୍ଷରୁ ଅଭିଯୋଗ କରାଯାଇଛି।

ସେମାନେ ଅହୁରି ମଧ୍ୟ ଅଭିଯୋଗ କରିଛନ୍ତି ଗ୍ରାମର ଜିରୋ ପଏଂଟରେ ପାଉଁଶ ପୋଖରୀ ନିର୍ମାଣ କରାଯାଉଥିବାରୁ ପରିବେଶ ପ୍ରଦୂଷଣ ହେବା ସହ ପୋଖରୀ, କଁଟା, ବନ୍ଧ, ଚାଷ ଜମି ଆଦି ପ୍ରଦୂଷିତ ହୋଇ ସାରିଲାଣି। ପ୍ରଦୂଷିତ ପାଣି ଓ ପାଉଁଶ ପୋଖରୀରର ନିର୍ମାଣ ସମୟରେ ଉଡୁଥିବା ଧୁଳି ଯୋଗୁଁ ଗ୍ରାମରେ ବସବାସ କରିବା କଷ୍ଟକର ହୋଇ ପଡିଲାଣି। ଆଗାମୀ ଦିନରେ ଏଠାରେ ପାଇଁଶ ପୋଖରୀ କାର୍ଯ୍ୟକ୍ଷମ ହେଲେ ଲୋକେ ମୃତ୍ୟୁ ମୁଖରେ ପଡିବା ନିଶ୍ଚିତ ହେଲେ ମଧ୍ୟ ଗ୍ରାମବାସୀଙ୍କୁ ଅନ୍ୟତ୍ର ଥଇଥାନ କରାଯାଇ ନଥିବାରୁ ମା ଅମ୍ବିକା ଗ୍ରୁପ ଏନଜିଟିର ଦ୍ୱାରସ୍ତ ହୋଇଥିଲା। ଏହି ଅଭିଯୋଗ କୁ ଗ୍ରହଣ କରି ଏନଜିଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି।

ପ୍ରକାଶ ଯୋଗ୍ୟ ଯେ, ବହୁ ବିରୋଧ ସତ୍ତେ୍ୱ ଓପିଜିସି ପାଉଁଶ ପୋଖରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା। ଏହାକୁ ବିରୋଧ କରି ସଂସାରୀଟିକରା ଗ୍ରାମବାସୀ ବାରମ୍ବାର ପ୍ରଶାସନର ଦ୍ୱାରସ୍ତ ହୋଇଥିଲେ। ହେଲେ ମଧ୍ୟ ଗ୍ରାମବାସୀଙ୍କ ଦାବି ନ ଶୁଣି ଓ ଥଇଥାନ ନ କରାଇ ପାଉଁଶ ପୋଖରୀ ନିର୍ମାଣ କରାଯାଉଥିବାରୁ ଗ୍ରାମବାସୀ ଏନଜଟିର ଦ୍ୱାରସ୍ଥ ହୋଇଥିଲେ। ଗତ ଶନିବାର ଏହି ପାଉଁଶ ପୋଖରୀ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ, ଓପିଜିସି କର୍ତ୍ତୁପକ୍ଷ ଓ ସଂସାରୀଟିକରା ଗ୍ରାମବାସୀଙ୍କ ମଧ୍ୟରେ ଏକ ତ୍ରି ପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଗ୍ରାମବାସୀମାନେ ଉପଯୁକ୍ତ କ୍ଷତିପୁରଣ ଓ ଥଇଥାନ ପ୍ରଦାନ କରି ସେମାନଙ୍କୁ ବିସ୍ଥାପିତ କରାଯାଉ ବୋଲି ଲୋକେ ଦାବି କରିଥିଲେ।

ହେଲେ କମ୍ପାନୀ କର୍ତ୍ତୁପକ୍ଷ ପାଉଁଶ ପୋଖରୀ ପାଇଁ ତିଲିଆ ମୌଜାରେ ଜମି ଅଧି ଗ୍ରହଣ କରାଯାଇଛି। ସଂସାରୀଟିକ୍ରା ଗ୍ରାମ ରମ୍ପେଲା ପଂଚାୟତ ଅଧିନରେ ରହିଛି। ତେଣୁ ଏହି ଗ୍ରାମକୁ ବିସ୍ଥାପିତ କରିବାର କୌଣସି ଆବଶ୍ୟକତା ରହି ନାହିଁ। ଗ୍ରାମଠାରୁ ୪୮ ମିଟର ଦୂର ଓ ହୀରାକୁଦ ଜଳ ଭଣ୍ଡାରରୁ ୫ଶହ ମିଟର ଦୂରରେ ପାଉଁଶ ପୋଖରୀ ନିର୍ମାଣ କରାଯାଉଛି ବୋଲି କମ୍ପାନୀ କର୍ତ୍ତୁପକ୍ଷ ସଫେଇ ଦେଇଥିଲେ। ଫଳରେ ଏହି ବୈଠକ ବିଫଳ ହୋଇଥିଲା। ତେବେ ଗ୍ରାମବାସୀଙ୍କ ଦାବି ପୂରଣ ନ ହେ।।ଇ ପାଉଁଶ ପୋଖରୀ ନର୍ମିାଣ କରାଗଲେ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଥିଲେ।