ଗ୍ୟାସ୍ ସିଲିଣ୍ଡର ପୁଣି ୩.୫୦ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ସରକାର ଗୁରୁବାର ପୁଣି ରନ୍ଧନ ଗ୍ୟାସ୍ ସିଲିଣ୍ଡର ମୂଲ୍ୟକୁ ୩ ଟଙ୍କା ୫୦ ପଇସା ବୃଦ୍ଧି କରିଛନ୍ତି। ଇତିପୂର୍ବରୁ ଚଳିତ ମେ’ ୭ରେ ସରକାର ସିଲିଣ୍ଡର ମୂଲ୍ୟରେ ୫୦ ଟଙ୍କା ବୃଦ୍ଧି କରିଥିଲେ। ଫଳରେ ଗୋଟିଏମାସ ମଧ୍ୟରେ ଗ୍ୟାସ୍ ସିଲିଣ୍ଡରର ଦୁଇଥର ମୂଲ୍ୟବୃଦ୍ଧି ଘଟିଛି। ବର୍ତ୍ତମାନ ବର୍ଦ୍ଧିତ ମୂଲ୍ୟ ଅନୁଯାୟୀ ରାଜଧାନୀ ଦିଲ୍ଲୀରେ ୧୪.୨ କିଲୋ ଓଜନର ରନ୍ଧନ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୧୦୦୩ ଟଙ୍କାରେ ପହଞ୍ଚିଥିବାବେଳେ ମୁମ୍ବାଇରେ ୧୦୦୨ ଟଙ୍କା, କୋଲକାତାରେ ୧୦୨୯ ଟଙ୍କା ଏବଂ ଚେନ୍ନାଇରେ ୧୦୧୮.୫୦ ଟଙ୍କା ଛୁଇଁଥିବା ଜଣାପଡିଛି।

ଅପରପକ୍ଷରେ ହୋଟେଲ ଓ ରେସ୍ତୋରାଁରେ ବ୍ୟବହୃତ ହେଉଥିବା ୧୯ କିଲୋ ଓଜନ ବିଶିଷ୍ଟ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ମଧ୍ୟ ବ୍ୟୟସାପେକ୍ଷ ହୋଇପଡିଛି। ଦିଲ୍ଲୀରେ ଏଭଳି ସିଲିଣ୍ଡର ୨୩୫୪ ଟଙ୍କାରେ ବିକ୍ରି କରାଯାଉଥିବାବେଳେ ମୁମ୍ବାଇରେ ଏହାର ମୂଲ୍ୟ ୨୩୦୬ ଟଙ୍କା, କୋଲକାତାରେ ୨୪୫୪ ଟଙ୍କା ଏବଂ ଚେନ୍ନାଇରେ ୨୫୦୭ ଟଙ୍କାରେ ଉପଲବ୍ଧ ହେଉଛି। ଚଳିତବର୍ଷ ମେ’ ପହିଲାରେ ସରକାର କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୧୦୨ ଟଙ୍କା ୫୦ ପଇସା ବୃଦ୍ଧି କରିଥିଲେ।