ଆମେରିକା ପାଇଁ ଆଗାମୀ ଦୁଇ ସପ୍ତାହ ଅତ୍ୟନ୍ତ ଯନ୍ତ୍ରଣାଦାୟକ: ଟ୍ରମ୍ପ

ୱାସିଂଟନ୍,ଏଜେନ୍ସି: କୋରୋନାର କାୟାରେ ହନ୍ତସନ୍ତ ସାରା ବିଶ୍ୱ । ଏହି ମହାମାରୀରେ ସର୍ବାଧିକ କ୍ଷତି ସହୁଛି ଇଟାଲି, ସ୍ପେନ୍‌, ଇରାକ୍‌ ଓ ଆମେରିକା । ମଙ୍ଗଳବାର ଦିନ ଆମେରିକାରେ କୋରାନା ଭାଇରସରେ ମୃତ୍ୟୁ ସଂଖ୍ୟା ୩, ୪୧୬ରେ ପହଞ୍ଚିଛି । ଏହା ପରେ ରାଷ୍ଟ୍ରପତି ଟ୍ରମ୍ପ୍ ଚେତାବନୀ ଦେଇ କହିଛନ୍ତି ଯେ ଆମେରିକା ପାଇଁ ଆଗାମୀ ଦୁଇ ସପ୍ତାହ ଅତ୍ୟନ୍ତ ଯନ୍ତ୍ରଣାଦାୟକ ହେବାକୁ ଯାଉଛି । ହ୍ୱାଇଟ୍ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ୍ ଏହି ଘୋଷଣା କହିଛନ୍ତି । ସେ କହିଛନ୍ତି କୋରୋନା ଘଟଣା ଖୁବ୍ ଯନ୍ତ୍ରଣାଦାୟକ ହେବାକୁ ଯାଉଛି, ଆଗାମୀ ଦୁଇ ସପ୍ତାହ ଅତ୍ୟନ୍ତ ଯନ୍ତ୍ରଣାଦାୟକ ହେବ ବୋଲି ଟ୍ରମ୍ପ କହିଛନ୍ତି ।

ଏହି କୋରୋନା ଭୂତାଣୁକୁ ରାଷ୍ଟ୍ରପତି ଟ୍ରମ୍ପ୍ ପ୍ଲେଗ୍ ରୋଗ ସହ ତୁଳନା କରିଛନ୍ତି । ସାମ୍ନାରେ ଥିବା ଦୁଃସମୟର ସମ୍ମୁଖୀନ ହେବାକୁ ସମସ୍ତ ଆମେରିକୀୟ ପ୍ରସ୍ତୁତ ରୁହନ୍ତୁ ବୋଲି ଟ୍ରମ୍ପ ଆହ୍ୱାନ ଦେଇଛନ୍ତି । ଏଥିସହିତ ଶୀର୍ଷସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ ସହଜରେ ସଂପ୍ରସାରିତ ହୋଇଯାଉଥିବା ଭୂତାଣୁକୁ ରୋକିବାକୁ କଡ଼ା ସାମାଜିକ ଦୂରତା ବଜାୟ ରଖିବା ହିଁ ଏକମାତ୍ର ଉପାୟ ।