ନବନିଯୁକ୍ତ ଭୁବନେଶ୍ୱର ଜିଲ୍ଲା ସଭାପତିଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଆଜି ଭୁବନେଶ୍ୱର ଜିଲ୍ଲା ନବନିଯୁକ୍ତ ସଭାପତି ବିଶ୍ୱଜିତ ଦାଶ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ରାଜ୍ୟ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାପତି ବନ୍ଦିତା ପରିଡ଼ା ସମେତ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ଛାତ୍ର, ଯୁବ, ମହିଳା ଏବଂ ବିଭିନ୍ନ ପ୍ରକୋଷ୍ଠର ନେତୃବୃନ୍ଦ ଓ କର୍ମୀମାନେ ଶ୍ରୀ ଦାଶଙ୍କୁ ସ୍ୱାଗତ ଜଣାଇଥିଲେ । ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଶ୍ରୀ ଦାଶଙ୍କୁ ସ୍ୱାଗତ କରି ଆସନ୍ତା ଦିନରେ ଜିଲ୍ଲା କଂଗ୍ରେସକୁ ଲୋକାଭିମୁଖି, ଲୋକାଦୃତ କରାଯାଇ ପାରିବ ସେଥିପାଇଁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଓ ନିଦ୍ଦେର୍ଶ ଦେଇଥିଲେ । ନବନିଯୁକ୍ତ ସଭାପତି ଶ୍ରୀ ଦାଶ ତାଙ୍କ ବକ୍ତବ୍ୟରେ କଂଗ୍ରେସ କମିଟି ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଓଡ଼ିଶା ପ୍ରଭାରୀ କେ ଚେଲ୍ଲାକୁମାର ଜୀ ଏବଂ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ତାଙ୍କୁ ଯେଉଁ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି ସେଥିପାଇଁ ସେ ତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଜିଲ୍ଲା କଂଗ୍ରେସକୁ ସଶକ୍ତ କରିବାପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।