ପ୍ରଥମ ଦିନିକିଆରେ ୭ ୱିକେଟରେ ହାରିଲା ଭାରତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ସହ ହେବାକୁ ଥିବା ୩ଟି ମ୍ୟାଚର ଦିନିକିଆ ସିରିଜର ପ୍ରଥମ ମୁକାବିଲାରେ ଭାରତୀୟ ଟିମକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଔକଲାଣ୍ଡରେ ହୋଇଥିବା ଏହି ମ୍ୟାଚରେ ଭାରତୀୟ ଟିମ୍ ୭ ୱିକଟେ ହରାଇ ୩୦୬ ରନ୍ ହାସଲ କରିଥିଲା । ଏହାର ଜବାବରେ ମାତ୍ର ୩ ୱିକେଟ ହରାଇ ନ୍ୟୁଜିଲାଣ୍ଡ ଟିମ୍ ଲକ୍ଷ୍ୟ ହାସଲ କରିଥିଲା ।

ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଭାରତୀୟ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ପ୍ରଥମ ୱିକେଟ ପାଇଁ ୨୩.୧ ଓଭରରେ ୧୨୪ ରନ୍ ଯୋଡ଼ିଥିଲେ । ଶୁଭମନ ଗିଲ ୬୫ ବଲରେ ୫୦ ରନ୍ ହାସଲ କରିଥିବାବେଳେ ଶିଖର ଧୱନ ୭୭ ବୋଲରେ ୭୨ ରନ୍ କରିଥିଲେ । ପରେ ଋଷଭ ପନ୍ତ ୨୩ ବୋଲରେ ୧୫ ରନ୍ କରି ଆଉଟ ହୋଇଥିବାବେଳେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଆଜି ମାତ୍ର ୪ ରନ୍ କରି ଆଉଟ ହୋଇଥିଲେ । କିନ୍ତୁ ସଞ୍ଜୁ ସାମସନ ଓ ଶ୍ରେୟସ ଅୟରଙ୍କ ମଧ୍ୟରେ ୯୪ ରନର ପାର୍ଟନରସିପ ଦେଖିବାକୁ ମିଳିଥିଲା ।

ନ୍ୟୁଜିଲାଣ୍ଡ ୩୦୭ ରନର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପ୍ରଥମ ୱିକେଟ ଖୁବଶୀଘ୍ର ହରାଇଥିଲା । ୧୯.୫ ଓଭରରେ ୮୮ ରନରେ ନ୍ୟୁଜିଲାଣ୍ଡର ୩ ୱିକେଟ ପଡ଼ି ସାରିଥିଲା । କିନ୍ତୁ ଟମ୍ ଲାଥମଙ୍କ ସହ ମିଶି ଅଧିନାୟକ ୱିଲିୟମସନ ୧୬୪ ବୋଲରେ ୨୨୧ ରନର ଅପରାଜିତ ପାର୍ଟନରସିପ ନ୍ୟୁଜିଲାଣ୍ଡକୁ ମ୍ୟାଚ ଜିତାଇବାରେ ସଫଳ ହୋଇଥିଲା ।