ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ କରମତଳା ପଞ୍ଚାୟତରେ ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କେଟିଲ ଚିହ୍ନରେ ସମିତି ସଭ୍ୟା ପ୍ରାର୍ଥିନୀ ଭାବେ ଉମା ମାଝୀ ଲଢ଼ୁଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଏକ ନିଆରା ଢଙ୍ଗରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଶ୍ରୀମତି ମାଝୀ ତୁଷ୍ଟାପାଲି ଗ୍ରାମରେ ଘରକୁ ଘର ବୁଲି କେଟିଲରେ ଚା’ ବାଣ୍ଟି ଭୋଟ ଭିକ୍ଷା କରିଛନ୍ତି । ଜଣେ ଆଦିବାସୀ ଓ ଗରିବ ଶ୍ରେଣୀର ମହିଳା ହୋଇଥିବା ବେଳେ ତାଙ୍କର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଚା’ ଦେଇ ଭୋଟ ମାଗୁଛନ୍ତି । ଫଳରେ ଚା’ ପିଇବା ପାଇଁ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ନିଶ୍ଚିତ ଭାବେ ବିଜୟୀ ହେବେ ବୋଲି ଉମା ଆଶା ବାନ୍ଧିଥିବା ବେଳେ ଲୋକଙ୍କ ସମର୍ଥନ ରହୁଥିବା ନଜର ଆସିଛି ।