ନୂଆଦିଲ୍ଲୀ,ଏଜେନ୍ସି: ଉତ୍ତରାଖଣ୍ଡରେ ଗୋଟିଏ ପଟରେ କୁମ୍ଭମେଳା ଜାରି ରହିଥିବା ବେଳେ ଅନ୍ୟ ପାର୍ଶ୍ୱରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ହରିଦ୍ୱାର କୁମ୍ଭ ମେଳା ସମୟରେ ଗୋଟିଏ ଆଶ୍ରମରେ ରହୁଥିବା ୩୨ ଜଣଙ୍କର କରୋନା ରିପୋର୍ଟ ପଜିଟିଭ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଦେଖାଯାଇଛି। କୁମ୍ଭମେଳା ସମୟରେ କରୋନାର ସ୍ଥିତି ଦେଖି ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି।
କରୋନା ସଂକ୍ରମଣ ବଢ଼ିବା ପରେ ଋଷିକେଶ ଅଞ୍ଚଳର ହରିପୁର କଳାନ ଓ ଗୀତା କୁଟୀରକୁ ପୂରା ଲକଡାଉନ କରାଯାଇଛି। ପ୍ରଶାସନ ତରଫରୁ ସ୍ଥାନୀୟ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି। ପ୍ରତ୍ୟେକ ଘରୁ କେବଳ ଜଣେ ବ୍ୟକ୍ତି ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ବାହାରକୁ ଯାଇପାରିବେ। ଡେରାଡୁନରେ ମଧ୍ୟ ୨ଟି ସ୍ଥାନରେ କଣ୍ଟେନମେଣ୍ଟ ଜୋନ କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ସରକାରୀ ମୋବାଇଲ ଭ୍ୟାନ୍ ଲଗାଯାଇଛି।
କରୋନା ସଂକ୍ରମଣ ବଢ଼ିବା ପରେ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କ ପ୍ରତି ମଧ୍ୟ କଟକଣା ଜାରି କରାଯାଇଛି। ଏପ୍ରିଲ ୧ ତାରିଖ ଠାରୁ ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ଛତିଶଗଡ଼, ମଧ୍ୟପ୍ରଦେଶ, ଗୁଜରାଟ, ହରିୟାଣା, ଉତ୍ତର ପ୍ରଦେଶ, ଦିଲ୍ଲୀ ଓ ରାଜସ୍ଥାନରୁ ଲୋକ ଆସୁଥିଲେ ସାଥିରେ କରୋନା ନେଗେଟିଭ ରିପୋର୍ଟ ଆଣିବାକୁ ପଡ଼ିବ। ଏହି ଆରଟି-ପିସିଆର ଟେଷ୍ଟ ରିପୋର୍ଟ ୭୨ ଘଣ୍ଟା ଭିତରେ ହୋଇଥିବା ଦରକାର।