ପ୍ରଚଣ୍ଡ ଖରାରେ ସିଝୁଛି ଓଡିଶା, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆସନ୍ତା ୪୮ ଘଣ୍ଟାରେ ଆହୁରି ବଢିବ ତାପମାତ୍ରା। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏନେଇ ଆସନ୍ତା ୨ଦିନ ପାଇଁ ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

ସେହି ୨୦ଟି ଜିଲ୍ଲା ଗୁଡିକ ହେଲା- ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ବରଗଡ, ଅନୁଗୁଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, ନୟାଗଡ, ବାଲେଶ୍ୱର, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ । ସେହିପରି ଏପ୍ରିଲ ୩ରୁ ୪ ତାରିଖ ଭିତରେ ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ବିଶେଷକରି ଉପକୂଳବର୍ତ୍ତୀ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ରାୟଗଡ଼ା ଓ କୋରାପୁଟରେ ବର୍ଷା ହେବାର ସମ୍ଭାବନା ରହିଛି। ଘଡ଼ଘଡ଼ି ଏବଂ ବିଜୁଳି ସହ ପବନ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ବହିବାର ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟାରେ ୪୨.୨ ଡିଗ୍ରୀ ସହ ଟିଟିଲାଗଡ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ବାରିପଦାରେ ପାରଦ ୪୨ ଡିଗ୍ରୀ ଥିବା ବେଳେ ବଲାଙ୍ଗୀର ୪୧.୫, ଝାରସୁଗଡା ୪୧.୨, ହୀରାକୁଦ ୪୧.୧ ଓ ରାଜଧାନୀରେ ୪୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।