କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏଥିରେ ରୋକ ଲଗାଇବା ପାଇଁ ଆରଟିପିସିଆର ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଗତକାଲି ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପଶ୍ଚିମବଙ୍ଗକୁ ଆସୁଥିବା ଯାତ୍ରୀଙ୍କ ପାଇଁ ନୂଆ ନିୟମାବଳୀ ଜାରି କରିଛନ୍ତି। ରାଜ୍ୟକୁ ଅନ୍ୟ ରାଜ୍ୟରୁ ଆସୁଥିବା ଯାତ୍ରୀମାନେ ଆରଟିପିସିଆର ନେଗେଟିଭ ରିପୋର୍ଟ ଆଣିବା ବାଧ୍ୟତାମୂଳକ କରାଯାଇଛି। ପଶ୍ଚିମବଙ୍ଗ ଅଭିମୁଖେ ଆସୁଥିବା ଟ୍ରେନରେ ବସିବାର ୭୨ ଘଣ୍ଟା ପୂର୍ବରୁ ଟେଷ୍ଟ କରାଇଥିବା ଆରଟିପିସିଆର ନେଗେଟିଭ ରିପୋର୍ଟ ସାଙ୍ଗରେ ଧରି ଆସିବାକୁ କୁହାଯାଇଛି। ଏନେଇ ପୂର୍ବତଟ ରେଳପଥ ତରଫରୁ ଯାତ୍ରୀମାନଙ୍କୁ ଜଣାଇ ଦିଆଯାଇଛି।
ପୁରୀ, ଭୁବନେଶ୍ୱର ଏବଂ ସମ୍ବଲପୁରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ପୁରୀ-ହାୱଡା ସ୍ପେଶାଲ, ପୁରୀ-ହାୱଡା ଦୁରନ୍ତ, ଭୁବନେଶ୍ୱର-ହାୱଡା ସ୍ପେଶାଲ ଏବଂ ସମ୍ବଲପୁର- ହାୱଡା ସ୍ପେଶାଲ ଟ୍ରେନରେ ଯାଉଥିବା ଯାତ୍ରୀମାନଙ୍କୁ ଆରଟିପିସିଆର ରିପୋର୍ଟ ଆଣିବାକୁ କୁହାଯାଇଛି।