ସୋସିଆଲ ମିଡିଆ ଓ ଓଟିଟି ପ୍ଲାଟଫର୍ମ ପାଇଁ ଜାରି ହେଲା ଗାଇଡଲାଇନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋସିଆଲ ମିଡିଆ, ନ୍ୟୁଜ ପୋର୍ଟାଲ ଓ ଓଟିଟି ପ୍ଲାଟଫର୍ମ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏସମ୍ପର୍କରେ ସୂଚନା ଦେଇଛନ୍ତି।

କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର କହିଛନ୍ତି ଯେ, ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷାର ଉପଯୋଗ କରାଯାଉଛି। କିନ୍ତୁ ଏବେ ସରକାର ସୋସିଆଲ ମିଡିଆରେ ଆପତ୍ତିଜନକ ସାମଗ୍ରୀକୁ ଅନୁମତି ଦେବେ ନାହିଁ। ଆମେ ଦେଖୁଛି କି ହିଂସାର ପ୍ରଚାର କରିବା ଲାଗି ଲୋକେ ଏବେ ସୋସିଆଲ ମିଡିଆର ଉପଯୋଗ କରୁଛନ୍ତି। ସୋସିଆଲ ମିଡିଆ ଏବେ ୩ଟି ସ୍ତର ଉପରେ ଦୃଷ୍ଟି ଦେବ। କମ୍ପାନୀକୁ ଚିଫ କମ୍ପଲାଏନ୍ସ ଅଫିସର ନିଯୁକ୍ତ କରିବାକୁ ପଡ଼ିବ ଯିଏକି ଅଭିଯୋଗର ସମାଧାନ କରିବେ। ମହିଳାଙ୍କ ବିରୋଧରେ ହୋଇଥିବା ଆପତ୍ତିଜନକ ପୋଷ୍ଟକୁ କମ୍ପାନୀ ୨୪ ଘଣ୍ଟା ମଧ୍ୟରେ ଡିଲିଟ କରିବ। ନିୟମ ପାଳନ କରିବାକୁ ନେଇ କମ୍ପାନୀ ପ୍ରତ୍ୟେକ ମାସ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ। ୩ ମାସ ମଧ୍ୟରେ ନିୟମ ପାଳନ କରିବାକୁ ପଡ଼ିବ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ, ସମସ୍ତ ମିଡିଆ ପ୍ଲାଟଫର୍ମ ଲାଗି ଏବେ ଗୋଟିଏ ନିୟମ ହେବ। ଓଟିଟି ପ୍ଲାଟଫର୍ମ ଲାଗି ନିୟମ ବନାଇବା ପାଇଁ ଆମକୁ ପ୍ରତ୍ୟେକ ଦିନ ପତ୍ର ମିଳୁଛି। ଓଟିଟି ଓ ଡିଜିଟାଲ ମିଡିଆ ଲାଗି ୩ ସ୍ତରୀୟ ବ୍ୟବସ୍ଥା କରାଯାଇଛି।