ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତିର ବର୍ଷେ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମୋଦୀ କହିଛନ୍ତି ଯେ, କରୋନା କାଳରେ ଶିକ୍ଷକମାନେ ଖୁବ୍ ପରିଶ୍ରମ କରିଛନ୍ତି। ଭାରତର ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ରାଷ୍ଟ୍ର ନିର୍ମାଣ ମହାଯଜ୍ଞରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ନୂଆ ଶିକ୍ଷା ନୀତି ଜରିଆରେ ନୂଆ ଭବିଷ୍ୟତର ନିର୍ମାଣ ହେବ। ଆଜିର ଯୁବପୀଢ଼ୀ ନିଜ ଦୁନିଆ ନିଜ ହିସାବରେ ତିଆରି କରିବାକୁ ଚାହୁଁଛି। ସେଥିପାଇଁ ତାକୁ ପୁରୁଣା ବନ୍ଧନ ଓ ପିଞ୍ଜରାରୁ ମୁକ୍ତ କରିବାକୁ ପଡ଼ିବ। ଦେଶ ଏବେ ସମ୍ପୂର୍ଣ୍ଣ ରୂପେ ଯୁବବର୍ଗଙ୍କ ସହିତ ରହିଛି। ପୂର୍ବରୁ ଆମ ଛାତ୍ର ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ବିଦେଶ ଯାଉଥିଲେ। କିନ୍ତୁ ଏବେ ଭଲ ପାଠପଢ଼ା ପାଇଁ ବିଦେଶ ଛାତ୍ର ଓ ସଂସ୍ଥା ଭାରତ ଆସୁଛନ୍ତି।
ମୋଦୀ ଆହୁରି କହିଛନ୍ତି ଯେ, ବିଭିନ୍ନ କ୍ଷେତ୍ରରେ ଆଜି ଭାରତୀୟ ଯୁବକ ଉନ୍ନତି କରି ଚାଲିଛନ୍ତି। ଆଜିର ଯୁବପୀଢ଼ୀ ଡିଜିଟାଲ ଇଣ୍ଡିଆକୁ ନୂଆ ଗତି ଦେଇଛନ୍ତି। ଆମ ଯୁବପୀଢ଼ୀଙ୍କୁ ଦୁନିଆଠାରୁ ଗୋଟିଏ ପାଦ ଆଗକୁ ଭାବିବାକୁ ପଡ଼ିବ। ଆଞ୍ଚଳିକ ଭାଷାରେ ଉଚ୍ଚ ଶିକ୍ଷା ପାଇଁ ନୂଆ ଶିକ୍ଷା ନୀତିରେ ବ୍ୟବସ୍ଥା କରାଯାଇଛି। ୮ଟି ରାଜ୍ୟର ୧୪ଟି ଇଞ୍ଜିନିୟରିଂ କଲେଜରେ ୫ଟି ଭାଷାରେ ପାଠ ପଢ଼ାଯିବ। ମାତୃଭାଷାରେ ପଢ଼ିଲେ ଗରିବ ପିଲାର ଆତ୍ମବିଶ୍ୱାସ ବଢ଼ିବ।
ସୂଚନାଯୋଗ୍ୟ,ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଏହି କାର୍ଯ୍ୟକ୍ରମରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ନୂଆ ଶିକ୍ଷା ନୀତି ବଳରେ ଭାରତ ବୈଶ୍ୱିକ ଶକ୍ତିରେ ପରିଣତ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି।