ମୁମ୍ବାଇ: ୨୪ ଘଣ୍ଟାରେ ୧୫୦୦୦ରୁ ଊର୍ଦ୍ଧ୍ବ ପଜିଟିଭ୍‌, ୩ ଦିନରେ ୨୩୦ ଡାକ୍ତର ସଂକ୍ରମିତ

ମୁମ୍ବାଇ,ଏଜେନ୍ସି: ଦେଶରେ କରୋନା ଭାଇରସ୍‌ରେ ସର୍ବାଧିକ ପ୍ରଭାବିତ ହୋଇଛି ମହରାଷ୍ଟ୍ର। ସେହିପିରି ମୁମ୍ବାଇରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଏଠାରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ୧୫ ହଜାରରୁ ଊର୍ଦ୍ଧ୍ବ ଲୋକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତେବେ ସବୁଠାରୁ ଅଧିକ ଚିନ୍ତାର କାରଣ ହେଲା ଯେ, ମୁମ୍ବାଇରେ ୩ ଦିନ ଭିତରେ ୨୩୦ ଜଣ ଡାକ୍ତରଙ୍କୁ ସଂକ୍ରମଣ ହୋଇଛି।

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ବୁଧବାର ୧୫,୧୬୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତବର୍ଷ ଏପ୍ରିଲ ମାସରେ ଯେତ‌େବେଳେ ଦେଶରେ ୨ୟ ଲହର ଥିଲା ଗୋଟିଏ ଦିନରେ ୧୧ ହଜାର ୨୦୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୬୫୩ ଜଣ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇ ସାରିଛନ୍ତି। ଏଥିରୁ କେବଳ ବୁଧବାର ୧୪୪ ଜଣ ଅଛନ୍ତି। ମୁମ୍ବାଇରେ ବୁଧବାର ୧୦୦ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ କରୋନାର ସ୍ଥିତି ଜଟିଳ ଥିବାରୁ ଆଗାମୀ ୧୫ ତାରିଖ ପର୍ଯ୍ୟନ୍ତ ସ୍କୁଲ-କଲେଜ ଗୁଡ଼ିକ ବନ୍ଦ ରଖାଯାଇଛି। ଅନଲାଇନ୍‌ କ୍ଲାସ ଜାରି ରହିବ। ପରୀକ୍ଷା ଗୁଡ଼ିକ ମଧ୍ୟ ଅନ୍‌ଲାଇନ୍‌ ମାଧ୍ୟମରେ ପରିଚାଳିତ ହେବ।