ଆଜିଠୁ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ

ଭୁବନେଶ୍ବର,ଏନ୍ଏନ୍ଏସ୍: ଆଜିଠୁ (ଗୁରୁବାର) ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଭୁବନେଶ୍ବରରେ ପହଞ୍ଚିବା ପରେ ରାଜଧାନୀ ଓ କଟକରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେବେ ରେଳମନ୍ତ୍ରୀ। ସନ୍ଧ୍ୟାରେ ଭୁବନେଶ୍ବରସ୍ଥିତ ବିଏସଏନଏଲ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେବେ ଅଶ୍ବିନୀ।

ରାଜ୍ୟର ଗ୍ରାମାଞ୍ଚଳରେ ୩ ହଜାର ୯୩୩ ମୋବାଇଲ ଟାୱାର ଏବଂ ୨୦୭ ନୂତନ ପୋଷ୍ଟ ଅଫିସର ଶୁଭାରମ୍ଭ କରିବେ। ପୁରୀରୁ ରାଜଧାନୀ କୋଚ ଲାଗିଥିବା ତପସ୍ବିନୀ ଏକ୍ସପ୍ରେସର ମଧ୍ୟ ଶୁଭାରମ୍ଭ କରିବେ। ଏହାବାଦ କଟକ ରେଳ ଷ୍ଟେସନର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିବେ। ଏହାବାଦ ବାଲେଶ୍ବର ଗସ୍ତ କରି ବାଲେଶ୍ବର-ନୀଳଗିରି ରେଳଲାଇନର ଭିତ୍ତିପ୍ରସ୍ତର ରଖିବେ। ଏତତ୍ ବ୍ୟତୀତ GIMSAR ର ମୋବାଇଲ ହେଲଥ ୟୁନିଟର ଶୁଭାରମ୍ଭ କରିବେ ଅଶ୍ବିନୀ।

୭ ତାରିଖ ଅର୍ଥାତ୍ ଶୁକ୍ରବାର କଟକ ଚଣ୍ଡୀମନ୍ଦିର ଯାଇ ମା’ଙ୍କୁ ଦର୍ଶନ କରିବା ପରେ ସେଠାରେ ଏକ ମୋବାଇଲ ହେଲଥ ୟୁନିଟର ଶୁଭାରମ୍ଭ କରିବେ। ଏହା ପରେ ବାଲେଶ୍ବର ଗସ୍ତ କରିବେ ଅଶ୍ବିନୀ। ସେଠାରେ ବାଲେଶ୍ବର- ଭୁବନେଶ୍ବର ମେମୁ ପାସେଞ୍ଜର ଟ୍ରେନ ଯାତ୍ରାର ଶୁଭାରମ୍ଭ କରିବେ। ଏହାବାଦ କ୍ଷୀରଚୋରା ଗୋପିନାଥ ମନ୍ଦିର ଦର୍ଶନ କରିବା ପରେ କେନ୍ଦ୍ରମନ୍ତ୍ରୀ ବସ୍ତା ଗସ୍ତ କରି ରେଳଷ୍ଟେସନର ଉନ୍ନତୀକରଣ ଏବଂ ଭଦ୍ରକ-ଖଡଗପୁର ୩ୟ ରେଳଲାଇନ କାର୍ଯ୍ୟ ତଦରାଖ କରିବେ।

ପ୍ରଧାନମନ୍ତ୍ରୀ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପରେ ଶେଷ ଥର ପାଇଁ ୨୦୨୧ ଅଗଷ୍ଟରେ ପ୍ରଥମ ଥର ଓଡିଶା ଆସିଥିଲେ ଅଶ୍ବିନୀ। କୋରାପୁଟ, ରାୟଗଡା ଓ ବଲାଙ୍ଗୀର ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ।