ଲକ୍ଷ୍ମଣ ନାୟକଙ୍କ ଗାଁରେ ନେଟ୍ ସମସ୍ୟା: ଅନଲାଇନ ପାଠପଢ଼ା ପାଇଁ ପାହାଡ଼ ଭରସା

କୋରାପୁଟ,ଏନ୍ଏନ୍ଏସ୍: ସହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମମାଟି ତେନ୍ତୁଲିଗୁମ୍ମାରେ ମୋବାଇଲ ଟାୱାର୍ ନଥିବାରୁ ଅନଲାଇନ ପାଠପଢ଼ା ପାଇଁ ଛାତ୍ରଛାତ୍ରୀଙ୍କୁ ଗ୍ରାମ ନିକଟସ୍ଥ ପାହାଡ଼ ଭରସା ହୋଇଛି। କରୋନା କାଳରେ ସମସ୍ତ ବିଦ୍ୟାଳୟ ଛୁଟି ଥିବାରୁ ଅନଲାଇନ୍ କ୍ଲାସ୍ ଚାଲିଥିବାବେଳେ ନକ୍ସଲ ପ୍ରଭାବିତ ଅଞ୍ଚଳ ବୈପାରିଗୁଡ଼ା ବ୍ଲକ୍ ତେନ୍ତୁଳିଗୁମ୍ମାରେ ପିଲାଙ୍କୁ ପଢ଼ିବା ପାଇଁ ପାହାଡ଼ ଚଢ଼ିବାକୁ ପଡୁଛି। ନକ୍ସଲ ପ୍ରଭାବିତ ଅଞ୍ଚଳରେ ମୋବାଇଲ ଟାୱାର ସ୍ଥାପନ କରିବା ପାଇଁ ସରକାର ଯୋଜନା କରିଥିବା ବେଳେ ସହୀଦ ଲକ୍ଷ୍ମଣ ନାୟକଙ୍କ ଗ୍ରାମରେ ମୋବାଇଲ ଟାୱାର ସ୍ଥାପନ ହୋଇନଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ତେନ୍ତୁଲିଗୁମ୍ମା ଗ୍ରାମରେ ହାଇସ୍କୁଲ୍ ଓ କଲେଜରେ ପଢ଼ୁଥିବା ୪୫ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅନଲାଇନ ପାଠ ପଢ଼ିବାକୁ ମାଲାକାନଗିରିର ଜିଓ ନେଟୱାର୍କ ଉପରେ ନିର୍ଭର କରନ୍ତି। କିନ୍ତୁ ଉକ୍ତ ନେଟୱର୍କ ନିମନ୍ତେ ସେମାନେ ଗାଁ ପାଖରେ ଥିବା ତାରା ପାହାଡ଼ ଉପରକୁ ଯାଇ ପାଠ ପଢ଼ୁଛନ୍ତି। ସେମାନଙ୍କ ସମସ୍ୟା ନେଇ ଏକ ମୋବାଇଲ ଟାୱାର ପ୍ରତିଷ୍ଠା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ପ୍ରେରଣ କରାଯାଇଥିବା ଛାତ୍ର ମାଧବ ନାୟକ, ହରିବନ୍ଧୁ କଟିଆ ଓ ରାମକୃଷ୍ଣ ପୂଜାରୀ ପ୍ରକାଶ କରିଛନ୍ତି।