କାଠମାଣ୍ଡୁ,ଏଜେନ୍ସି: ଭାରତର ପଡୋଶୀ ରାଷ୍ଟ୍ର ନେପାଳରେ ହଠାତ୍ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି। ରବିବାର ପ୍ରଧାନମନ୍ତ୍ରୀ କେପି ଓଲି ଶର୍ମାଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ନେପାଳ ସଂସଦର ନିମ୍ନସଦନକୁ ଭଙ୍ଗ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ୨୦୨୧ ଏପ୍ରିଲ-ମେ’ରେ ଦେଶରେ ମଧ୍ୟବର୍ତ୍ତୀକାଳୀନ ସାଧାରଣ ନିର୍ବାଚନ ହେବ ବୋଲି ରାଷ୍ଟ୍ରପତି ଘୋଷଣା କରିଛନ୍ତି। ଏପ୍ରିଲ ୩୦ ଓ ମେ’ ୧୦ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ରାଷ୍ଟ୍ରପତିଙ୍କୁ ସୁପାରିଶ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଓଲି ଶର୍ମା କ୍ୟାବିନେଟର ଏକ ଜରୁରୀ ବୈଠକରେ ଅଧ୍ୟକ୍ଷତା କରି ଆଗାମୀ ରଣନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ଓଲି ଶର୍ମାଙ୍କ ସହ କ୍ୟାବିନେଟର ସବୁ ମନ୍ତ୍ରୀ ଇସ୍ତଫା ପ୍ରଦାନ କରିଛନ୍ତି। ଅପରପକ୍ଷରେ ଓଲି ଶର୍ମାଙ୍କ ଏତାଦୃଶ ନିଷ୍ପତ୍ତିକୁ ବିରୋଧୀ ଦଳଗୁଡିକ ତୀବ୍ର ସମାଲୋଚନା କରିଛନ୍ତି। ଏହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ବୋଲି ସେମାନେ ଅଭିଯୋଗ କରିଛନ୍ତି।