ନୂଆଦିଲ୍ଲୀ,ଏଜେନ୍ସି: ପ୍ରାୟ ନଅ ମାସ ହେଲା ସାରାଦେଶରେ କରୋନାର କୁପ୍ରଭାବ ଦେଖିବାକୁ ମିଳିଛି। ତେବେ ଏହି କଠିନ ସମୟରେ ଲୋକଙ୍କ ସେବାରେ ନିୟୋଜିତ ପ୍ରାୟ ୭୦୦ ରେଳ କର୍ମଚାରୀ କରୋନାରେ ପ୍ରାଣ ହରାଇଛନ୍ତି ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ମହାମାରୀ ସମୟରେ ଲକ୍ଷାଧିକ ପ୍ରବାସୀଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏକାଧିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳର ବନ୍ଦୋବସ୍ତ କରିଥିଲେ। ତେଣୁ ଯାତ୍ରୀଙ୍କୁ ଟ୍ରେନଯାତ୍ରା ସମ୍ପର୍କିତ ସୁବିଧା ସୁଯୋଗ ଯୋଗାଇଦେବାକୁ ଯାଇ ୩୦,୦୦୦ ରେଳ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି। ଏମାନଙ୍କ ମଧ୍ୟରୁ ୭୦୦ ପ୍ରାଣ ହରାଇଛନ୍ତି ବୋଲି ରେଲୱେ ବୋର୍ଡ ଅଧ୍ୟକ୍ଷ ଜଣାଇଛନ୍ତି। କୋଭିଡ୍ ସଂକ୍ରମିତଙ୍କ ସହ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିବାରୁ ଏମାନେ କୋଭିଡ୍ ଆକ୍ରାନ୍ତ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ରେଳବାଇ ପକ୍ଷରୁ ଦେଶର ବିଭିନ୍ନ ସହରରେ ୭୪ଟି କୋଭିଡ୍ କେୟାର ସେଣ୍ଟର ପ୍ରତିଷ୍ଠା କରାଯାଇଛି।