ଭାରତ ସହ ଦୃଢ ସମ୍ପର୍କ ରଖିବାକୁ ଚାହେଁ ନେପାଳ: ଓଲି

ନୂଆଦିଲ୍ଲୀ,ଏଜେନ୍ସି: ଗୋଟିଏ ପଟେ ନେପାଳ ସୀମାବର୍ତ୍ତୀ ତିନୋଟି ଭାରତୀୟ ଗ୍ରାମ କାଲାପାନି, ଲିପୁଲେଖ ଓ ଲିମ୍ପିଅଧୁରାକୁ ହାତେଇବା ପାଇଁ ନେପାଳ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ଉଦ୍ୟମ କରୁଥିଲା ବେଳେ ଅନ୍ୟପଟେ କୁଟ୍ଟନୈତିକ ଚାଲ ଖେଳି କହିଛନ୍ତି, ଭାରତ ସହ ନେପାଳ ଦୃଢ ସମ୍ପର୍କ ରଖିବାକୁ ଚାହେଁ। ନେପାଳର ବୈଦେଶିକ ମନ୍ତ୍ରୀ ପ୍ରଦୀପ ଗ୍ୟାୱାଲି ଆସନ୍ତା ୧୪ରେ ଭାରତ ଗସ୍ତରେ ଆସୁଥିବାରୁ ଏହି ପରିପ୍ରେକ୍ଷୀରେ ନେପାଳ ପ୍ରଧାନମନ୍ତ୍ରୀ ଓଲି କହିଛନ୍ତି, ପଡୋଶୀ ରାଷ୍ଟ୍ର ଭାରତ ସହ ଆମେ ଦୃଢ ସମ୍ପର୍କ ରଖିବାକୁ ଚାହୁଁ। ଭାରତରେ ଷଷ୍ଠ ନେପାଳ-ଭାରତ ଯୁଗ୍ମ କମିଶନ ବୈଠକ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏଥିରେ ଯୋଗ ଦେବା ଲାଗି ନେପାଳ ବୈଦେଶିକମନ୍ତ୍ରୀ ଗ୍ୟାୱାଲି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ଆମନ୍ତ୍ରଣ କ୍ରମେ ଭାରତ ଆସୁଛନ୍ତି। ସେ ଏହି ଗସ୍ତ ସମୟରେ ନେପାଳର ନୂଆ ମାନଚିତ୍ର ସମ୍ପର୍କରେ ଭାରତୀୟ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବେ।