ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ଆଜି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ସମଗ୍ର ଦେଶ ସମେତ ଓଡ଼ିଶାରେ ନ୍ୟାସନାଲ ଇଲିଜିବିଲିଟି କମ ଏଣ୍ଟ୍ରାନ୍ସ ପରୀକ୍ଷାର ଆୟୋଜନ କରୁଛି। ଏଥର ନିଟ ପରୀକ୍ଷାରେ ୧୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଯୋଡ଼ିହେବେ। ନିଟ -୨୦୨୦ ପ୍ରବେଶିକା ପରୀକ୍ଷା ୨ଟି ସିଫ୍ଟରେ ଅନୁଷ୍ଠିତ ହେବ। ପ୍ରଥମ ସିଫ୍ଟ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ସାଢ଼େ ଗୋଟିଏ ଯାଏଁ ଚାଲିବ। ସେହିପରି ୨ୟ ସିଫ୍ଟ ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଚାଲିବ।
ତେବେ ନିଟ ପରୀକ୍ଷାରେ ସାମିଲ ହେଉଥିବା ଛାତ୍ରଛାତ୍ରୀଙ୍କୁ ଏଥର କିଛି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ପରୀକ୍ଷାର୍ଥୀଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ହେବ। ମାସ୍କ ପିନ୍ଧିବା ଓ ପାଖରେ ସାନିଟାଇଜର ରଖିବା ବାଧ୍ୟତାମୂଳକ କରାଯାଇଛି। ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଏଥର ଦେଶବ୍ୟାପୀ ୩୮୪୨ଟି କେନ୍ଦ୍ର କରାଯାଇଛି। ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ମାସ୍କ, ଗ୍ଲୋଭ୍ସ ଦିଆଯିବ। ନିଟ ପରୀକ୍ଷା ଲାଜି ରାଜ୍ୟରେ ଭୁବନେଶ୍ୱର, କଟକ, ସମ୍ବଲପୁର, ବାଲେଶ୍ୱର, ବ୍ରହ୍ମପୁର, ରାଉରକେଲା ଓ ଅନୁଗୁଳରେ ମୋଟ ୮୪ଟି କେନ୍ଦ୍ର କରାଯାଇଛି। ଏହି ୭ଟି ପରୀକ୍ଷା କେନ୍ଦ୍ରରେ ରାଜ୍ୟ ୩୭ ହଜାର ୪୫୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।
ନିଟ ପରୀକ୍ଷା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରବେଶ ଦିଆଯିବ। ପରୀକ୍ଷା କେନ୍ଦ୍ରଗୁଡ଼ିକୁ ସାନିଟାଇଜ କରାଯାଇଥିବା ନିଟର ରାଜ୍ୟ ସଂଯୋଜିକା ପଲ୍ଲୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ଅନ୍ୟପଟରେ ଏନଟିଏ ଗତକାଲି ବିଜ୍ଞପ୍ତି ଜାରି କହିଛି ଯେ, କରୋନା ପଜିଟିଭ ପ୍ରାର୍ଥୀ ନିଟ ପରୀକ୍ଷା ଦେଇପାରିବେ ନାହିଁ। ଆଜି ପରୀକ୍ଷା ଶେଷ ହେବା ପରେ ପଜିଟିଭ ପ୍ରାର୍ଥୀ କେବେ ପରୀକ୍ଷା ଦେବେ, ସେ ନେଇ ଚିନ୍ତା କରାଯିବ।